ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଭାଙ୍ଗିଯିବ ବିଜୁ ଜନତା ଦଳ । ଶଙ୍ଖ ଦଳର ନାମନିସାନ କିଛି ରହିବନି । ବିଜେଡିର ସ୍ଥିତି ଦେଖି ଏବେଠୁ ଅନେକ ନେତା ବିଜେପି ସହ ଯୋଗାଯୋଗରେ ଅଛନ୍ତି । ଅପେକ୍ଷା କରନ୍ତୁ, ଆଗକୁ କଣ ହେଉଛି । କିଛି ଏମିତି କହିବା ପରେ ବିଜେଡି ରାଜନୀତିରେ କମ୍ପନ । କାରଣ ସଜସଜ ୨ ରାଜ୍ୟସଭା ସାଂସଦ ବିଜେଡି ଛାଡିବା ପରେ ନବୀନଙ୍କ ଟେନସନ ବଢିଥିଲା । ଏପଟେ ନିଇତି ନେତାଏ ଯେଉଁପରି ଭାବରେ ବିସ୍ଫୋରକ ବୟାନ ଦେଉଛନ୍ତି ତାହାକୁ ନେଇ ବିଜେଡି ସୁପ୍ରିମୋଙ୍କ ଟେନସନ ଦ୍ଵିଗୁଣିତ ହେଲାଣି ।ପୂର୍ବରୁ ଦୁଇ ରାଜ୍ୟସଭା ସାଂସଦ ମମତା ମହାନ୍ତ ଓ ସୁଜିତ୍ କୁମାର ଦଳ ଛାଡିଥିଲେ। ଗତକାଲି ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାନେତ୍ରୀ ପଦରୁ ଇସ୍ତଫା ଦେଇଥିଲେ ବିଜୟଲକ୍ଷ୍ମୀ ମହାପାତ୍ର । ବିଜେଡିରେ ଆଉ ନୀତି ଆଦର୍ଶ ନାହିଁ, ତାଲିବାନୀ ଶାସନ ଚାଲିଛି । ବରିଷ୍ଠ ନେତା ପାଣ୍ଡିଆନ୍, ମାନସ ମଙ୍ଗରାଜ ଦୁର୍ନୀତିର ଗନ୍ତାଘର ବୋଲି ସଙ୍ଗୀନ ଅଭିଯୋଗ କରିଥିଲେ ।ପରାଜୟ ପରେ କେହି କାହାକୁ ମାନିବା ସ୍ଥିତିରେ ନାହାନ୍ତି । ସେଇଥି ଲାଗି ନିଇତି ଗଣମାଧ୍ୟମରେ ଦଳର ପୋଲ ଖୋଲୁଛନ୍ତି ନେତା । ବିଜେପି ନେତା ଯାହା କହିଲେ କଂଗ୍ରେସ ନେତା ସମାନ କଥା ଦୋହରାଇଲେ । ଅର୍ଥାତ୍ ବିଜେଡି ନେତାଏ କେବଳ ବିଜେପି ନୁହନ୍ତି ବରଂ କଂଗ୍ରେସ ସହ ବି ଯୋଗାଯୋଗରେ ଅଛନ୍ତି ।ତେବେ ପ୍ରଶ୍ନ ଉଠୁଛି, ବିଜେଡି ନେତୃତ୍ବକୁ ଜଣେ ପରେ ଜଣେ ନେତା ଚ୍ୟାଲେଞ୍ଜ ଦେଉଛନ୍ତି, କିନ୍ତୁ କାହିଁକି ମୁହଁ ଖୋଲୁନାହାନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ ? ସମୟ କହିବ ବିଜେଡିର କେଉଁ ନେତା କେଉଁ ଦଳକୁ ଯାଉଛନ୍ତି । ଆଉ ବିଜେଡିର ଅବସ୍ଥା ଆଗାମୀ ଦିନରେ କଣ ହେଉଛି ?