ବିପ୍ଲବୀ ପରିକ୍ରମା ବ୍ୟୁରୋ :- ବଙ୍ଗୋପସାଗରରୁ ବଳ ଗୋଟାଇ ଆଗକୁ ବଢୁଛି ଗଭୀର ଅବପାତ। ଆଜି ସୃଷ୍ଟି ହେବ ବାତ୍ୟା, କାଲି ଭୀଷଣ ରୂପ ନେବ। ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳକୁ ବାତ୍ୟା ନେଇ ୟେଲୋ ଆଲର୍ଟ ଜାରି ହୋଇଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଗଭୀର ଅବପାତ ଏବେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୩ କିଲୋମିଟର ବେଗରେ ଆଗକୁ ବଢୁଛି। ପାରାଦୀପଠାରୁ ୬୭୦ କିଲୋମିଟର ଦକ୍ଷିଣପୂର୍ବ ଓ ପଶ୍ଚିମବଙ୍ଗ ସାଗର ଦ୍ବୀପରୁ ୭୨୦ କିଲୋମିଟ ଦକ୍ଷିଣ-ଦକ୍ଷିଣପୂର୍ବ ଦୂରରେ କେନ୍ଦ୍ରୀଭୂତ ରହିଛି ଡିପ୍ ଡିପ୍ରେସନ୍। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ବାତ୍ୟାର ରୂପ ନେବ। ଏହାପରେ ଅଧିକ ଘନୀଭୂତ ହେବ ସାମୁଦ୍ରିକ ଝଡ। ଆସନ୍ତାକାଲି ଏହା ଉତ୍ତର ପଶ୍ଚିମ ବଙ୍ଗୋପସାରରେ ଭୀଷଣ ବାତ୍ୟା ରୂପ ନେବ।ଓଡ଼ିଶାର ପୁରୀ ଏବଂ ପଶ୍ଚିମବଙ୍ଗର ସାଗରଦ୍ବୀପ ମଧ୍ୟରେ ଆସନ୍ତାକାଲି ରାତି କିମ୍ବା ୨୫ ପାହାନ୍ତା ଭିତରେ ଉପକୂଳ ଅତିକ୍ରମ କରିବ। ତେବେ ପ୍ରକୃତ ଲ୍ୟାଣ୍ଡଫଲ୍ ସ୍ଥଳ ଏଯାଏଁ ସ୍ପଷ୍ଟ କରିନି ଆଇଏମଡି। ଭୀଷଣ ବାତ୍ୟା ଉପକୂଳ ଅତିକ୍ରମ ବେଳେ ପବନର ବେଗ ୧୦୦ରୁ ୧୨୦ ମଧ୍ୟରେ ରହିବ। ତେବେ ଉତ୍ତର ଓଡ଼ିଶାରେ ବାତ୍ୟା ବେଶୀ କୋପ ଦେଖାଇବ। ୭ଟି ଜିଲ୍ଲାରେ ଆସନ୍ତାକାଲି ଏବଂ ପରଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହୋଇଛି।ସମୁଦ୍ର ଅଶାନ୍ତ ରହୁଥିବାରୁ ଗୋପାଳପୁର, ପାରାଦୀପ ଏବଂ ଧାମରା ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ବି ଜାରି ହୋଇଛି। ଆଜି ରାତି ସୁଦ୍ଧା ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ।