ବିପ୍ଲବୀ ପରିକ୍ରମା ଡିଜିଟାଲ :- ଭୀଷଣ ବାତ୍ୟା ‘ଦାନା’କୁ ନେଇ ବଡ ଅପଡେଟ । ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ଲ୍ୟାଣ୍ଡଫଲ ପରେ ସାମାନ୍ୟ ଡାଇଭର୍ଟ ହୋଇପାରେ ବାତ୍ୟାର ଗତିପଥ । ରିକର୍ଭ କରି ଏହି ଭୀଷଣ ବାତ୍ୟା ଆଭ୍ୟନ୍ତରୀଣ ଓ ଦକ୍ଷିଣ-ଓଡିଶା ଆଡକୁ ମୁହାଁଇବ । ଫଳରେ ଉତ୍ତର-ଉପକୂଳ ଓଡ଼ିଶା ସହ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି । କିନ୍ତୁ ଲ୍ୟାଣ୍ଡଫଲ ନେଇ କରାଯାଇଥିବା ପୂର୍ବାନୁମାନରେ କୌଣସି ପରିବର୍ତ୍ତନ ଦୃଶ୍ୟମାନ ହେଉନାହିଁ ବୋଲି ମନୋରମା ସ୍ପଷ୍ଟ କରିଛନ୍ତି ।
ଏବେ ଏହି ଭୀଷଣ ବାତ୍ୟା ପାରାଦୀପଠାରୁ ୨୬୦ କିଲୋମିଟର ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ରହିଥିବା ବେଳେ ଧାମରା ବନ୍ଦରଠାରୁ ୨୯୦ କିମି ଦକ୍ଷିଣ ପୂର୍ବରେ ରହିଛି । ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୧୨ କି.ମି ବେଗରେ ଗତି କରୁଛି । ଆଜି ମଧ୍ୟରାତ୍ରିରେ ଭିତରକନିକା ଏବଂ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ । ଲ୍ୟାଣ୍ଡଫଲ ପରେ ଏହାର ପୂର୍ବ ନିର୍ଦ୍ଧାରିତ ଗତିପଥରେ ସାମାନ୍ୟ ପରିବର୍ତ୍ତନ ବା ଡାଇଭର୍ଟ ଦେଖିବାକୁ ମିଳିବ । ଧମରାରେ ଲ୍ୟାଣ୍ଡଫଲ କରିବା ପରେ ଭଦ୍ରକରୁ ରିକର୍ଭ କରି ପଶ୍ଚିମ-ଓଡିଶାକୁ ସାମାନ୍ୟ ମୁହାଁଇବ ବାତ୍ୟା । ଫଳରେ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ ଦେଇ ବାତ୍ୟା ଅତିକ୍ରମ କରିବାର ଅନୁମାନ କରାଯାଉଛି ।ଆଜି ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କଟକ, ଖୋର୍ଦ୍ଧାରେ ବର୍ଷା ଜାରି ରହିଥିବା ବେଳେ ଏହାର ପରିମାଣରେ ବୃଦ୍ଧି ପାଇବ । କାଲିଠୁ ଆଭ୍ୟନ୍ତରୀଣ ଓଡିଶାର ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ଼, ବୌଦ୍ଧ, ନୟାଗଡ଼ ଦେଇ ଅତିକ୍ରମ କରିବ ବାତ୍ୟାର ଅଂଶ । ୨୬ ତାରିଖରେ ଅବପାତ କିମ୍ବା ଲଘୁଚାପ ଭାବରେ ଦକ୍ଷିଣ ଓଡ଼ିଶାରେ ପହଞ୍ଚିବ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳରେ ଏହାର ପ୍ରଭାବରେ ବର୍ଷା ହେବ ।ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, “ସରକାର ବାତ୍ୟା ପ୍ରସ୍ତୁତି କରିଛନ୍ତି ।
ମନ୍ତ୍ରୀମାନେ ଗ୍ରାଉଣ୍ଡ ଜିରୋରେ ଏହାର ନିରୀକ୍ଷଣ କରୁଛନ୍ତି । ବରିଷ୍ଠ ଆଇଏଏସ ଅଫିସର ଜିଲ୍ଲା ଯାଇଛନ୍ତି । ଯେଉଁଠି ସେମାନେ କାମ କରିଛନ୍ତି । ବନ୍ୟା ବାତ୍ୟାରେ କାମ କରିବାର ଅନୁଭବ ଅଛି । ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ପରି ଜିଲ୍ଲାରେ ବର୍ଷା ହେବ । ବାତ୍ୟାର ଗତିପଥ ବର୍ତ୍ତମାନ ସାମାନ୍ୟ ପରିବର୍ତ୍ତନ ହୋଇଛି । ଭିତରକନିକା ପାର୍ଶ୍ଵରେ ହେବା ନେଇ ଅନୁମାନ କରାଯାଉଛି । ହେଲେ ଲ୍ୟାଣ୍ଡ ନକରିବା ଯାଏଁ ସ୍ପଷ୍ଟ ସ୍ଥାନ କହି ହେବନାହିଁ । ପାରାଦ୍ୱୀପରୁ ୨୮୦ କିଲୋମିଟର ଓ ଧାମରାରୁ ୩୧୦ କିଲୋମିଟର ଦୂରରେ ଅଛି । ଘଣ୍ଟାକୁ ୧୫ କିଲୋମିଟର ବେଗରେ ଚାଲିଛି । କାଲି ସକାଳ ସୁଦ୍ଧା ବାତ୍ୟା କୌଣସି ସମୟରେ ହିଟ ହୋଇପାରେ ।”ଆଜି ରାତି ୮. ୩୦ରୁ କାଲି ରାତି ୮. ୩୦ ଯାଏଁ ରେଡ ୱାର୍ଣ୍ଣିଂ ଅଛି । ପ୍ରାୟ ୨୦ ସେଣ୍ଟିମିଟର ବର୍ଷା ହେବ । ମୟୂରଭଞ୍ଜ, କଟକ, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ବି ବର୍ଷା ହେବ । ବିଭିନ୍ନ ଜିଲ୍ଲାରେ ସ୍ଥାନାନ୍ତର କାମ ଚାଲିଛି । ଗତ ରାତି ସୁଦ୍ଧା ପ୍ରାୟ ୩ ଲକ୍ଷ ଲୋକଙ୍କୁ ସମ୍ବେଦନଶୀଳ ସ୍ଥାନାନ୍ତର କରାଯାଇଛି ।
ଆଜି ସକାଳୁ ସ୍ଥାନାନ୍ତର କାର୍ଯ୍ୟ ଗତି ଧରିଛି । ପ୍ରଶାସନ, ପୋଲିସ ଓ ସ୍ଥାନୀୟ ପ୍ରତିନିଧି କାମରେ ଅଛନ୍ତି । ଆଶ୍ରୟ ସ୍ଥଳୀରେ ଲୋକେ ପହଁଚି ସାରିଲେଣି । ରିଲିଫ ସେଣ୍ଟରକୁ ଆସୁଥିବା ଲୋକ ଗୃହପାଳିତ ପଶୁଙ୍କୁ ଘରେ ବାନ୍ଧିକି ରଖୁଛନ୍ତି । ହେଲେ ଏପରି କରନ୍ତୁ ନାହିଁ । ସେମାନେ ପହଁରା ଜାଣୁଛନ୍ତି । ପଶୁ ସମ୍ପଦଙ୍କୁ ଉଚ୍ଚ ସ୍ଥାନରେ ଛାଡ଼ି ଦିଅନ୍ତୁ । ପ୍ରାଣୀ ସମ୍ପଦ ଖାଦ୍ୟ ପହଁଚି ସାରିଛି । ଚିହ୍ନଟ ହୋଇଥିବା ଗର୍ଭବତୀ ହସ୍ପିଟାଲ ପହଁଚିଛନ୍ତି । ସେମାନେ ସୁରକ୍ଷିତ ଅଛନ୍ତି । ସନ୍ତୋଷଜନକ ପ୍ରସ୍ତୁତି ଅଛି ।’’