ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ); ଆଜି ଶିକ୍ଷା କ୍ଷେତ୍ରରେ ଫିସ୍ ବୃଦ୍ଧି ବନ୍ଦ କରିବା, ସରକାରୀ ଶିକ୍ଷାକୁ ସୁରକ୍ଷିତ କରିବା, ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ସମେତ ଜିଲ୍ଲା ଏବଂ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ଆବଶ୍ୟକ ଶିକ୍ଷକ, ଅଧ୍ୟାପକ, ଶିକ୍ଷା କର୍ମଚାରୀ ପଦବୀ ସ୍ଥାୟୀ ଭିତ୍ତିରେ ପୂରଣ କରିବା, ସରକାରୀ ବିଶ୍ବବିଦ୍ୟାଳୟଗୁଡିକର ସ୍ୱାୟତ୍ତତା ଫେରାଇ ଦେବା, ବାତ୍ୟା ପ୍ରଭାବିତ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କ ସମସ୍ତ ପ୍ରକାର ଫିସ୍ ଛାଡ କରିବା,ଜିଲ୍ଲା ସମେତ ରାଜ୍ୟରେ ବନ୍ଦ ହୋଇଥିବା ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡିକ ତୁରନ୍ତ ଖୋଲିବା, ଏନଟିଏକୁ ରଦ୍ଧ କରିବା ଓ ପରୀକ୍ଷା ପରିଚାଳନାରେ ସମସ୍ତ ଅନିୟମିତତା ଦୂର କରିବା, ଏମବିବିଏସ ଛାତ୍ରଛାତ୍ରୀଙ୍କ ବିଶ୍ବବିଦ୍ୟାଳୟ ନାମ ପଞ୍ଜିକରଣ ଫିସ୍ ସମ୍ପୂର୍ଣ୍ଣ ଛାଡ କରିବା, ଡାକ୍ତରୀ ଶିକ୍ଷାରେ ଅବୈଜ୍ଞାନିକ ସିବିଏମଇ ପ୍ରଚଳନ ବନ୍ଦ କରିବା ଓ ନେକ୍ସଟ୍ ବାତିଲ କରିବା, ଚାରି ବର୍ଷିଆ ଡିଗ୍ରି (FYUP) କୋର୍ସ ପ୍ରଚଳନ ବନ୍ଦ କରିବା, ଶିକ୍ଷା ଧ୍ବଂସକାରୀ ଜାତୀୟ ଶିକ୍ଷାନୀତି ୨୦୨୦କୁ ସଂପୂର୍ଣ୍ଣ ବାତିଲ କରିବା, ଗବେଷଣା ପାଇଁ ରିସର୍ଚ୍ଚ ସ୍କଲାରମାନଙ୍କ ମଧ୍ୟରେ ଭେଦଭାବ ନରଖି ସମସ୍ତଙ୍କୁ ନିୟମିତ ରିସର୍ଚ୍ଚ ଫେଲୋସିପ୍ ପ୍ରଦାନ କରିବା, ରିସର୍ଚ୍ଚ ପାଇଁ ଜିଡିପିର ୩% ଖର୍ଚ୍ଚ କରିବା, ନବଜାଗରଣ ତଥା ସ୍ବାଧୀନତା ସଂଗ୍ରାମର ନେତାମାନଙ୍କ ଜୀବନ ସଂଗ୍ରାମକୁ ପାଠ୍ୟ ପୁସ୍ତକରୁ ହଟାଇବା ବନ୍ଦ କରିବା, ଅବୈଜ୍ଞାନିକ ଚିନ୍ତାଧାରାର ପ୍ରଚାର ତଥା ଇତିହାସର ବିକୃତିକରଣ ବନ୍ଦ କରିବା, କେନ୍ଦ୍ର ବଜେଟର ୧୦% ଓ ରାଜ୍ୟ ବଜେଟର ୩୦% ଶିକ୍ଷା ପାଇଁ ବ୍ୟୟ ବରାଦ କରିବା,କ୍ୟାମ୍ପସ ଓ ବାହାରେ ଛାତ୍ରୀ ତଥା ମହିଳାମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା,ଅଶ୍ଳୀଳତା- ଅପସଂସ୍କୃତି-ମଦ,ମାଦକ ଦ୍ରବ୍ୟର ପ୍ରଚାର ପ୍ରସାର ବନ୍ଦ କରିବା, ଛାତ୍ରଛାତ୍ରୀମାନଙ୍କ ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ପାଇଁ ତୁରନ୍ତ ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ ଆରମ୍ଭ କରିବା, ଛାତ୍ରଛାତୀଙ୍କୁ ଫ୍ରି ବସ୍ ପାସ୍ ଯୋଗାଇ ଦେବା ଓ ସମସ୍ତଙ୍କ ପାଇଁ ଚକିରୀ ସୁନିଶ୍ଚିତ କରିବା ଆଦି ଦାବିରେ ଏ ଆଇ ଡି ଏସ୍ ଓ ରାଜ୍ୟବ୍ୟାପୀ ବିକ୍ଷୋଭର ଆହ୍ବାନରେ ଏ ଆଇ.ଡି ଏସ୍ ଓ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ରାଜସ୍ଵ କମିଶନର (ଆର୍.ଡି.ସି )ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି।
ସୂଚନା ଥାଉକି ଆମ ଦେଶର ନବଜାଗରଣ ସମୟର ମନୀଷୀ ତଥା ସ୍ବାଧୀନତା ଆନ୍ଦୋଳନର ମହାନ ବିପ୍ଳବୀମାନେ ବୈଜ୍ଞାନିକ, ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ଶିକ୍ଷା ପଦ୍ଧତି ତଥା ସାର୍ବଜନୀନ ଶିକ୍ଷା ପ୍ରଚଳନ ପାଇଁ ପ୍ରଚାର କରିଥିଲେ ଏବଂ ସଂଗ୍ରାମ କରିଥିଲେ ତାହା ଆଜିବି ଆପୂରିତ । ଶିକ୍ଷାର ଘରୋଇକରଣ, ବ୍ୟବସାୟୀକରଣ, ସାମ୍ପ୍ରଦାୟିକରଣ ଏବଂ କେନ୍ଦ୍ରୀକରଣକୁ ଆହୁରି ତ୍ବରାନ୍ବିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଜାତୀୟ ଶିକ୍ଷା ନୀତି ୨୦୨୦ ପ୍ରଚଳନ କରି ଶିକ୍ଷାର ସଂରଚନା ଓ ନିର୍ଯ୍ୟାସରେ ପରିବର୍ତ୍ତନ କରୁଛନ୍ତି । ପାଠ୍ୟକ୍ରମରେ ବିଭିନ୍ନ ଅବୈଜ୍ଞାନିକ, ଅଯୌକ୍ତିକ, ଅନୈତିହାସିକ, ସାମ୍ପ୍ରଦାୟିକ ବିଷୟବସ୍ତୁ ପ୍ରଚଳନ କରୁଛନ୍ତି। ‘ବନ୍ଦ-ମିଶ୍ରଣ ନାମରେ ଆମ ରାଜ୍ୟ ତଥା ସାରା ଦେଶରେ ଲକ୍ଷ ଲକ୍ଷ ବିଦ୍ୟାଳୟ ବନ୍ଦ କରାଯାଉଛି। ରାଜ୍ୟରେ ଶିକ୍ଷକ, ଅଧ୍ୟାପକ, ଶିକ୍ଷା କର୍ମଚାରୀ ପଦବୀ ଖାଲି ପଡ଼ିଛି ଫଳରେ ପାଠ ପଢା ଓ ଅନ୍ୟାନ୍ୟ କାର୍ଯ୍ୟ ହୋଇପାରୁନି। ୨୦୧୮ ମସିହାରୁ ଛାତ୍ରସଂସଦ ନିର୍ବାଚନ ବନ୍ଦ କରି ଛାତ୍ରଛାତ୍ରୀମାନଙ୍କର ଗଣତାନ୍ତ୍ରିକ ଅଧିକାର ହରଣ କରାଯାଇଛି ବୋଲି ସଂଗଠନ ତରଫରୁ କୁହାଯାଇଛି।
ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଏ ଆଇ ଡି ଏସ୍ ଓ ଓଡିଶା ରାଜ୍ୟ ସଭାପତି ସୋମନାଥ ବେହେରା, ଗଞ୍ଜାମ ଜିଲ୍ଲା ସଭାପତି ନିମାଇଁ ଚରଣ ସାହୁ, ସଂପାଦକ ନାରାୟଣ ସାହୁ ସମେତ କିସାନ କୁମାର ସାହୁ, ଶୁଭସ୍ମିତା ପାଣିଗ୍ରାହୀ, କାମରାଜ ସାହୁ, ବାମିଆ ଉଗ୍ରଯାଣ୍ଡି , ସମୀର ନାୟକ ଆଦି ସଂଗଠନର କର୍ମକର୍ତ୍ତା ସହିତ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।