ପୁଣି ଜଙ୍ଗଲ ନଷ୍ଟ କରୁଛି ଜଗନ୍ନାଥ ଷ୍ଟିଲ

0

କେନ୍ଦୁଝର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କେନ୍ଦୁଝର ଜିଲ୍ଲା ତଥା ବନଖଣ୍ଡ ଅନ୍ତର୍ଗତ ବଡବିଲ ବନାଞ୍ଚଳ ଅଧିନସ୍ଥ ନାଲଦା ସେକ୍ସନର ଉଲିବୁରୁ ସଂରକ୍ଷିତ ଜଙ୍ଗଲରୁ ବଡବିଲ ବନ ବିଭାଗ OD09-V-7188 ନମ୍ବର ଜେସିବି ଓ OD09G 9701 ନମ୍ବର ବିଶିଷ୍ଟ କେପି ଏଣ୍ଟରପ୍ରାଇଜେସର ହାଇୱା ଜବତ୍ କରିଛି। ପ୍ରାପ୍ତ ସୂଚନା ମୁତାବକ ଉଲିବୁରୁ ଗ୍ରାମରେ ଥିବା ଶ୍ରୀ ଜଗନ୍ନାଥ ଷ୍ଟୀଲ୍ ପ୍ଲାଣ୍ଟ ନିଜ ସୁବିଧା ପାଇଁ ପ୍ଲାଣ୍ଟରୁ ମୋରମ ଆଣି ସମ୍ମୁଖରେ ଥିବା ସଂରକ୍ଷିତ ଜଙ୍ଗଲରେ ପକାଇବା ସହ ବର୍ଷା ପାଣି ନିଷ୍କାସନ ପାଇଁ ଥିବା ଡ୍ରେନ ପୋତି ରାସ୍ତା ଚଉଡା କରିଛି। ଏହି କ୍ରମରେ ଜଗନ୍ନାଥ ଷ୍ଟୀଲ୍ କମ୍ପାନୀ ଜଙ୍ଗଲରେ ଥିବା ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଗଛ କାଟି ଦେଇଥିବା ବେଳେ ତା ଉପରେ ମୋରମ ପକାଇ ଲୁଚାଇବାକୁ ଚେଷ୍ଟା କରୁଥିଲା। ଅନେକ ଗଛ କଟା ହୋଇଥିବା ବେଳେ ଅନେକ ଗଛ ମୋରମ ତଳେ ଦବି ଯାଇଥିବା ସନ୍ଦେହ ହୋଇଛି। ମାତ୍ର ସୋମବାର ସନ୍ଧ୍ୟାରେ କୌଣସି ସୂତ୍ରରୁ ବଡବିଲ ବନ ବିଭାଗ ଏହା ଜାଣିବାକୁ ପାଇ ଘଟଣା ସ୍ଥଳରେ ପହଞ୍ଚି ହାଇୱା ସହ ଜେସିବି ଜବତ କରିଛି। ଏଠାରେ ସୂଚନା ଯୋଗ୍ୟ ଯେ ଏହି ସଂରକ୍ଷିତ ଜଙ୍ଗଲରେ ବନ ବିଭାଗ ପକ୍ଷରୁ ୨୦୨୨-୨୩ରେ ବନୀକରଣ ଯୋଜନାରେ ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ବ ଗଛ ଲଗା ଯାଇଥିଲା। ମାତ୍ର ଜଗନ୍ନାଥ ଷ୍ଟିଲ କମ୍ପାନୀ ଉକ୍ତ ଫଳକକୁ ମଧ୍ୟ ଜେସିବି ସାହାଯ୍ୟରେ ଭାଙ୍ଗି ଦେଇଥିବା ଦେଖା ଯାଇଛି।

ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ବିନା ଅନୁମତିରେ କୌଣସି କାର୍ଯ୍ୟ କରିବା ବେଆଇନ୍ ହୋଇଥିବା ବେଳେ ଜଗନ୍ନାଥ ଷ୍ଟିଲ କମ୍ପାନୀ କେଉଁ ସାହସରେ ସେଠାରୁ ଗଛ କାଟିବା, ଡ୍ରେନ ପୋତିବା ସହ ଜଙ୍ଗଲରେ ମୋରମ ପକାଇ ତାର ସୋନ୍ଦର୍ଯ୍ୟକୁ ନଷ୍ଟ କଲା ତାହା ପ୍ରଶ୍ନବାଚୀ। ଅବଶ୍ୟ ଏପରି ଅଭିଯୋଗ ଜଗନ୍ନାଥ ଷ୍ଟିଲ କମ୍ପାନୀ ଉପରେ ନୂଆଁ ନୁହେଁ। ଗ୍ରାମ୍ୟରାସ୍ତାକୁ ଜବର ଦଖଲ କରିବା ଜଙ୍ଗଲ ଜମିକୁ ନଷ୍ଟ କରିବା, ପ୍ରଦ୍ୟୁଷଣ ନିୟନ୍ତ୍ରଣ ନ କରି ସମଗ୍ର ଅଞ୍ଚଳକୁ ପ୍ରଦୂଷିତ କରିବା ଏପରି ଅନେକ ଅଭିଯୋଗ ଜଗନ୍ନାଥ ଷ୍ଟିଲ କମ୍ପାନୀ ଉପରେ ଲାଗି ଆସୁଛି। କମ୍ପାନୀର ଏପରି ଦାଦାଗିରି ପାଇଁ ଏହି ପ୍ଲାଣ୍ଟ ସଂଲଗ୍ନ ଉଲିବୁରୁ ଓ ହାୟାରପୁର ଗ୍ରାମବାସୀ ତ୍ରାହି ତ୍ରାହି ଡାକୁଥିବା ବେଳେ କମ୍ପାନୀ ଉପରେ କଡା କାର୍ଯ୍ୟନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି l

LEAVE A REPLY

Please enter your comment!
Please enter your name here