ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଅନନ୍ୟ ପ୍ରୟାସ ଓ ନୂତନ ଚିନ୍ତାଧାରା ନେଇ ସମାଜ ସେବା କ୍ଷେତ୍ରରେ ନିଆରା ପରିଚୟ ସୃଷ୍ଟି କରିଛନ୍ତି ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସୋସିଆଲ ରିଫର୍ମ ଗ୍ରୁପ।ପୁଣି ଏକ ନିଆରା ଚିନ୍ତାଧାରା ପାଇଁ ଆଜି ଚର୍ଚ୍ଚାରେ ରହିଛି ଏହି ସ୍ଵେଚ୍ଛାସେବୀ ଅନୁଷ୍ଠାନ।ତେବେ ଆଗାମୀ ଶୀତ ଋତୁକୁ ନଜରରେ ରଖି ଏଥର ସୋସିଆଲ ରିଫର୍ମ ଗ୍ରୁପ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ଥିବା ସମସ୍ତ ଧାର୍ମିକ ଅନୁଷ୍ଠାନ ଗୁଡିକର ସଫେଇ କରିବାକୁ ଯୋଜନା ରଖିଛି। ଏହି ଅନୁଷ୍ଠାନର ପ୍ରତିଷ୍ଠାତା ସୌରଭ ମିଶ୍ର ଙ୍କ କହିବା ଅନୁଯାୟୀ ଏହି ପାର୍ବଣ ଋତୁ ଓ ଆଗାମୀ ମାର୍ଗଶିର ମାସରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନକୁ ଆସୁଥିବା ଭକ୍ତମାନେ ଯେପରି ଧାର୍ମିକ ଅନୁଷ୍ଠାନରେ ଆବର୍ଜନା ଦେଖି ସେମାନଙ୍କ ମନରେ ଥିବା ଧାର୍ମିକ ଭାବନାରେ ବାଧା ନ ଉପୁଜେ, ସେଥିପାଇଁ ମନ୍ଦିର ପରିସରରେ ଥିବା ଆବର୍ଜନା ଓ ପ୍ଲାଷ୍ଟିକ ସାମଗ୍ରୀକୁ ସଫା କରାଯିବ।
ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନ ପକ୍ଷରୁ ବାରିପଦା ଉପକଣ୍ଠ ପୋଡ଼ା ଅସ୍ତିଆ ସ୍ଥିତ ବୁଢ଼ାବଳଙ୍ଗ ନଦୀ କୂଳରେ ଅବସ୍ଥିତ ବଳଙ୍ଗେଶ୍ୱର ଶିବ ମନ୍ଦିର ଓ ମା ମଙ୍ଗଳାଙ୍କ ପୀଠ କୁ ସମ୍ପୂର୍ଣ୍ଣ ଭାବରେ ସଫେଇ କରି ସଂଘର ସଦସ୍ୟ ମାନେ ସ୍ଥାନୀୟ ଯୁବକଙ୍କୁ ଉତ୍ସାହିତ କରିବା ସହ ଶୁଖୁଲା ଅଳିଆ, ଓଦା ଅଳିଆ ର ବିଘଟନ ପ୍ରଣାଳୀ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ମନ୍ଦିର ର ପୂଜକ ପ୍ରିୟବ୍ରତ ଦାସ ଉପସ୍ଥିତ ରହି ସଂଘର ସଦସ୍ୟ ମାନଙ୍କୁ ସହଯୋଗ କରିଥିଲେ।
ତେବେ କଲେଜ୍ ଛାତ୍ରଛାତ୍ରୀ ମାନଙ୍କର ଏଭଳି ନିଆରା କାର୍ଯ୍ୟକ୍ରମକୁ ଦେଖି ମନ୍ଦିର କୁ ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକ ଓ ସ୍ଥାନୀୟ ଲୋକେ ଭୁୟଶୀ ପ୍ରଶଂସା କରିବା ସହିତଯୁବତୀ ମାନଙ୍କର ପ୍ରକୃତି ପ୍ରତି ଏଭଳି ଭୂୟସୀ ପ୍ରୟାସକୁ ବିଭିନ୍ନ ମହଲରୁ ସ୍ବାଗତ କରିଥିଲେ l
ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାକୁ ସ୍ବଚ୍ଛ ଓ ପଲିଥିନ ମୁକ୍ତ ସହରରେ ପରିଣତ କରିବା ଆମର ଲକ୍ଷ ବୋଲି ସଙ୍ଘର ସଭାପତି ସୌରଭ ମିଶ୍ର କହିଥିବାବେଳେ ଆଗାମୀ ଦିନରେ ନିୟମିତ ବ୍ୟବଧାନରେ ଧର୍ମାନୁଷ୍ଠାନ,ବସଷ୍ଟାଣ୍ଡ ଓ ବୁଢ଼ାବଳଙ୍ଗ ତଟ ନିକଟସ୍ଥ ବିଭିନ୍ନ ଅଞ୍ଚଳରେ ବ୍ୟାପକ ସଫେଇ ଅଭିଯାନ ସହିତ ସମାଜ ସେବା କ୍ଷେତ୍ରରେ ଆମ ସଙ୍ଗଠନ କାମ କରିବ ବୋଲି ସଙ୍ଘର ସମ୍ପାଦକ ଅଭିଷେକ ବେହେରା ଗଣମାଧ୍ୟମକୁ ସୁଚନା ଦେଇଛନ୍ତି।
ତେବେ ମନ୍ଦିର ପରିସରରେ ରହିଥିବା ଅଳିଆ ଆବର୍ଜ୍ଜନାକୁ ସଫା କରିବା ସହ ଅନାବନା ଗଛଲତାକୁ କାଟି ସଫା କରିବାରେ ସଂଘର ସଦସ୍ୟ ରାମକୃଷ୍ଣ, କରିନା, ଶୁଭଙ୍କର, ଅଶ୍ଵିନୀ ସାର, ରଚିତା ପ୍ରମୁଖ ଏହି ସଫେଇ ଅଭିଯାନରେ ସାମିଲ ହୋଇ ସହଯୋଗ କରିଥିଲେ।