ବିପ୍ଲବୀ ପରିକ୍ରମା ଡିଜିଟାଲ :- ନିର୍ବାଚନ ପ୍ରଚାର ସମୟରେ ରାଜ୍ୟ ବିଜେପି ନିଜର ନିର୍ବାଚନୀ ଇସ୍ତାହାରରେ ଦେଇଥିବା ଏମ୍ଏସ୍ପି ଗ୍ୟାରେଣ୍ଟି ପୂରଣ କରିବାକୁ ଯାଉଛନ୍ତି। ଚଳିତମାସ ୨୧ତାରିଖରେ ଓଡ଼ିଶାରେ ଧାନକିଣା ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ବରଗଡ଼ ସୋହେଲାରେ ଏକ ବଡ଼ ସମାବେଶରେ ରାଜ୍ୟ ସରକାର ଚାଷୀଙ୍କୁ ଇନ୍ପୁଟ୍ ସବ୍ସିଡି ପ୍ରଦାନ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ସଂପୂର୍ଣ୍ଣ ମନ୍ତ୍ରିମଣ୍ଡଳ କାର୍ଯ୍ୟକ୍ରମରେ ସାମିଲ ହେବାର ଯୋଜନା ରହିଛି। ରାଜ୍ୟରେ ଆଉ କିଛିଦିନ ପରେ ମଣ୍ଡି ଖୋଲିବ। ଏଥିପାଇଁ ପ୍ରାଶାସନିକ ସ୍ତରରେ ସମସ୍ତ ପଦକ୍ଷେପ ନିଆଯାଉଛି। ଚଳିତ ଖରିଫ ଋତୁରେ ୮୦ଲକ୍ଷ ଟନ୍ ଧାନ କିଣିବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଚଳିତବର୍ଷ ଚାଷୀଙ୍କଠାରୁ କ୍ବିଣ୍ଟାଲ ପ୍ରତି ୩୧ଶହ ଟଙ୍କାରେ ସରକାର ଧାନ କିଣିବେ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି) କ୍ବିଣ୍ଟାଲ ପିଛା ୨୩ଶହ ଟଙ୍କା ଓ ରାଜ୍ୟ ସରକାରଙ୍କ ପକ୍ଷରୁ ୮ଶହ ଟଙ୍କା ଇନ୍ପୁଟ ସବ୍ସିଡିକୁ ମିଶାଇ ୩୧ଶହ ଟଙ୍କାରେ ଚାଷୀ ଧାନ ବିକ୍ରି କରିବେ। ପ୍ରଥମେ ୨୩ଶହ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଯିବ। ଏହାର ୫ ମିନିଟ୍ ପରେ ୮ଶହ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଛଡ଼ାଯିବ। କେବଳ ପଶ୍ଚିମ ଓଡ଼ିଶା ନୁହେଁ, ପ୍ରତି ଜିଲ୍ଲାରେ ରାଜ୍ୟ ସରକାର ଚାଷୀ ସମାବେଶ କରିବେ। ମନ୍ତ୍ରୀମାନେ ବିଭିନ୍ନ ଜିଲ୍ଲା ଗସ୍ତ କରିବା ସହ ଏହି ସମାବେଶରେ ଯୋଗଦେବେ ବୋଲି ସୂଚନା ମିଳିଛି।