ବିପ୍ଲବୀ ପରିକ୍ରମା ଡିଜିଟାଲ :- ମହିଳା ବିରୋଧୀ ଅପରାଧକୁ ନେଇ ପୂର୍ବତନ ସରକାରଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦଣ୍ଡ ବିଧାନ ହାର ମାତ୍ର ୯.୩ ପ୍ରତିଶତ, ଯାହାକି ଅତ୍ୟନ୍ତ ଲଜ୍ଜାଜନକ ବୋଲି କହିଲେ ମୁଖ୍ୟମନ୍ତ୍ରୀ । ଆଇନ ସହ ସାଧାରଣ ଲୋକଙ୍କୁ ଯୋଡିବା ପାଇଁ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ନ୍ୟାୟ ସଂହିତାର ଉପରେ ଜାଗୃତୀକରଣ କାର୍ଯ୍ୟକ୍ରମ ହୋଇଯାଇଛି । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହାସହ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମେତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ପୂର୍ବତନ ରାଜ୍ୟ ସୂଚନା ଆୟୁକ୍ତ ଜଗଦାନନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ ।ଲୋକସେବା ଭବନ ସ୍ଥିତ କନଭେନସନ ହଲ ଠାରେ ଆଇନ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ହୋଇଯାଇଛି । ଭାରତୀୟ ନ୍ୟାୟ ସଂହିତା ବା BNS ଜାଗୃତିକରଣ କାର୍ଯ୍ୟକ୍ରମରେ ଯୋଗ ଦେଇ ମହିଳା ବିରୋଧୀ ଅପରାଧ ପ୍ରସଙ୍ଗରେ ପୂର୍ବ ସରକାର ଏବଂ ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, “NCRB ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ମହିଳା ବିରୋଧି ଅପରାଧରେ ଦଣ୍ଡ ବିଧାନ ହାର ମାତ୍ର ୯.୩ ପ୍ରତିଶତ ରହିଛି । ୨୪ ବର୍ଷ ଧରି ଶାସନ କରିଥିବା ମୁଖ୍ୟମନ୍ତ୍ରୀ ଯାହାଙ୍କ ପାଖରେ ଗୃହ ବିଭାଗ ଥିଲା । ସେ ଏହି କଥାକୁ ଜାଣି ପାରୁନଥିଲେ । କିନ୍ତୁ ସବୁଠି ମହିଳା ସଶକ୍ତିକରଣ ଓ ମହିଳାଙ୍କ ସମ୍ମାନ କଥା କହୁଥିଲେ । ବର୍ତ୍ତମାନ କିନ୍ତୁ ମହିଳାଙ୍କ ସୁରକ୍ଷାକୁ କିଭଳି ତ୍ୱରିତ ପ୍ରକ୍ରିୟାରେ ବୃଦ୍ଧି କରାଯିବ ଆମ ସରକାର ଗୁରୁତର ସହ ବିଚାରକୁ ନେଉଛୁ ।”