ଆଜି ଅଁଳା ନବମୀ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିକୁ ଅଁଳା ନବମୀ ଭାବେ ପାଳନ କରାଯାଏ । ଏହା ଅକ୍ଷୟ ନବମୀ ନାଁରେ ମଧ୍ୟ ଜଣାଯାଏ । ଏହି ଦିନ ଶ୍ରଦ୍ଧାଳୁ ଶ୍ରୀ ରାଧାପାଦ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତ କରିଥାନ୍ତି । ହିନ୍ଦୁ ଧର୍ମରେ ଅଁଳା ନବମୀର ବିଶେଷ ମହତ୍ୱ ରହିଛି । ଏହି ଦିନ ଅଁଳା ଗଛକୁ ପୂଜା କରାଯାଏ । ଅଁଳା ଶ୍ରୀ ହରି ବିଷ୍ଣୁଙ୍କ ପ୍ରିୟ ଫଳ । ଏହି ବୃକ୍ଷରେ ସମସ୍ତ ଦେବା ଦେବୀ ବାସ କରନ୍ତି ବୋଲି ବିଶ୍ୱାସ ରହିଛି । ଅଁଳା ଗଛର ପୂଜାର୍ଚ୍ଚନା କରି ଅଖଣ୍ଡ ଆରୋଗ୍ୟ ଓ ପରିବାରର ସୁଖ ସମୃଦ୍ଧି କାମନା କରାଯାଇଥାଏ । କେବଳ ଏତିକି ନୁହେଁ ଅଁଳା ଗଛ ତଳେ ବସି ଭୋଜନ କରିବା ସହ ପ୍ରସାଦ ଭାବରେ ଅଁଳା ମଧ୍ୟ ସେବନ କରାଯାଏ ।

ଏହି ପବିତ୍ର ଦିନରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ ଶ୍ରୀରାଧାଙ୍କର ପାଦପଦ୍ମ ଦ୍ୱୟକୁ ଭକ୍ତମାନେ ଦର୍ଶନ କରିଥାନ୍ତି। ଏଥିପାଇଁ ଏହି ଦିବସଟି ‘ରାଧାପାଦ ଦର୍ଶନ’ ନାମରେ ବିଦିତ । ଏହି ଅବସରରେ ପୁରୀ ଜିଲ୍ଲା ସତ୍ୟବାଦୀର ସାକ୍ଷୀଗୋପୀନାଥ ମନ୍ଦିରରେ ଆଜି ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀରାଧା । ପୁରୀ ଜିଲ୍ଲା ସାକ୍ଷୀଗୋପାଳର ସାକ୍ଷୀଗୋପୀନାଥ ମନ୍ଦିରରେ ରାଧାରାଣୀଙ୍କ ପାଦ ଦର୍ଶନ ପାଇଁ ଜମିଛି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ । ରାଧାରାଣୀ ଓଡ଼ିଆଣୀ ବେଶରେ ଓ ଶ୍ରୀକୃଷ୍ଣ ନଟବର ବେଶରେ ସଜ୍ଜିତ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ବର୍ଷକରେ ଥରେ ଶ୍ରଦ୍ଧାଳୁମାନେ ଏହି ଦର୍ଶନର ସୌଭାଗ୍ୟ ପାଇଥାନ୍ତି l ସୁରକ୍ଷା, ଭିଡ଼ ପରିଚାଳନା ଓ ସମସ୍ତ ଭକ୍ତଙ୍କ ଶାନ୍ତିପୂର୍ଣ୍ଣ ଦର୍ଶନ ପାଇଁ ପୁରୀ ପୋଲିସ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି l

LEAVE A REPLY

Please enter your comment!
Please enter your name here