ଭଞ୍ଜପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଅବୈଧ୍ୟ ନିଶା କାରବାରକୁ ରୋକିବାରେ ମୟୁରଭଞ୍ଜ ଜିଲ୍ଲା ପୁଲିସକୁ ସଫଳତା ମିଳିଛି। ଭଞ୍ଜପୁର ଥାନା ପୁଲିସ ଦ୍ଵାରା ରାତ୍ରିକାଳୀନ ଯାନବାହାନ ଯାଞ୍ଚ ସମୟରେ ଇନୋଭା ଗାଡିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରି ବା ସହ ସନ୍ଦିଗ୍ଧ ଇନୋଭା ଜବତ କରାଯାଇଛି। ଅଭିଯୁକ୍ତ ଦ୍ୱୟ ହେଲେ କୁଳିଅଣା ଅନ୍ତର୍ଗତ ବଡ଼ ନୂଆଁଗାଁ ଅଞ୍ଚଳର ଗାଡି ଚାଳକ ଅଜୟ କୁମାର ନାୟକ ଓ କାନିଆଲୁକା ଅଞ୍ଚଳର ବେପାରୀ ପ୍ରବୀଣ କୁମାର୍ ନାଥ। ବଲାଙ୍ଗୀରରୁ ମୟୁରଭଞ୍ଜ ଜିଲ୍ଲାକୁ ଗଞ୍ଜେଇ କାରବାରର ଚେର ଲମ୍ବିଥିବା ବେଳେ ଗଞ୍ଜେଇ ଚୋରା ଚାଲାଣ ନେଇ ପୁଲିସକୁ ବିଶ୍ୱସ୍ଥସୂତ୍ରରୁ ଖବର ମିଳିଥିଲା। ଯାହାକୁ ନେଇ ଏସପି ବରୁଣ ଗୁଣ୍ଟୁପାଳିଙ୍କ ନିର୍ଦ୍ଦେଶକ୍ରମେ ଭଞ୍ଜପୁର ଥାନା ପୁଲିସ ଏକ ଟିମ ଜୁବୁଲି ପେଟ୍ରୋଲ ପମ୍ପ ଛକ ଠାରେ ଜାତୀୟ ରାଜପଥ ୧୮ରେ ଶନିବାର ସକାଳ ପ୍ରାୟ ୧୦ଟା ସମୟରେ ବାରିପଦା ଆସୁଥିବା ବେଳେ ଚଢ଼ାଉ କରି ଇନୋଭା କାରକୁ ଜବତ କରିଥିଲେ। ପୁଲିସ ଗାଡିକୁ ନିଜ ହେପାଜତକୁ ନେଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗାଡି ଖୋଲାଯାଇ ଯାଞ୍ଚ କରାଯିବା ବେଳେ ୫୦କିଲୋରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି କୁହାଯାଇଛି। ପୁଲିସ ଟିମ ଗିରଫ ୨ଜଣକୁ ଅଧିକ ପଚରା ଉଚରା ଜାରି ରଖିଛନ୍ତି। ଦୁଇ ଜଣକୁ କୋର୍ଟ ଚାଲାଣ କରାଯାଇଛି ବୋଲି ବାରିପଦା ସଦର ଏସଡିପିଓ ସୁଜିତ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ବାରିପଦାକୁ ବାରମ୍ବାର ଅନ୍ୟ ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଏହାର ମୂଳ ପର୍ଯ୍ୟନ୍ତ ଯାଇ କିଙ୍ଗପିନକୁ ଗିରଫ କରିବା ପାଇଁ ଦାବି ହୋଇଛି। ଉକ୍ତ ଘଟଣାରେ ଅନ୍ୟ ସମ୍ପୃକ୍ତଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।