ବିପ୍ଲବୀ ପରିକ୍ରମା ଡିଜିଟାଲ :- ପୂର୍ବର ବିଜେଡି ସରକାର ସମୟରେ ଚାଲିଥିବା ବଦଳି ଓ ବଦଳି ବାତିଲ ତାମସାକୁ ରୋକିବାକୁ ଏବେକା ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ସରକାରୀ ଚାକିରିଆଙ୍କ ବଦଳି ନିୟମ ଅନୁଯାୟୀ କରାଯିବ । ବଦଳି ହୋଇଥିବା କର୍ମଚାରୀ ତାଙ୍କ କାର୍ଯ୍ୟରେ ଯୋଗଦେବେ । ଉପଯୁକ୍ତ କାରଣ ବିନା ଯଦି ବଦଳି ବାତିଲ ପାଇଁ ଚାପ ପକାଇବେ ବା କାର୍ଯ୍ୟରେ ଯୋଗଦେବାରେ ବିଳମ୍ବ କରିବେ, ତେବେ ହେବ କଠୋର ପଦକ୍ଷେପ । ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ।
ଅନେକ ସ୍ଥାନରେ ବାବୁମାନେ ବଦଳି ବାତିଲ ପାଇଁ ଲବି କରୁଛନ୍ତି । କେତେକ ସରକାରୀ ଚାକିରିଆ ବାହାନାରେ ଛୁଟି ନେଉଛନ୍ତି । ଯାହାକୁ ସରକାର ଗୁରୁତର ସହ ନେଇଛନ୍ତି । ମୁଖ୍ୟ ସଚିବ ମନୋଜ ଆହୁଜା କହିଛନ୍ତି ଯେ, ଯଦି କେହି ବଦଳି ନିର୍ଦ୍ଦେଶ ପାଇବା ପରେ କାର୍ଯ୍ୟରେ ଯୋଗ ନଦିଅନ୍ତି, ତେବେ ସ୍ଥିତି ଗମ୍ଭୀର ହେବ । କୌଣସି କର୍ମଚାରୀଙ୍କୁ ଛଡ଼ାଯିବ ନାହିଁ । ବଦଳି ବାତିଲ ପାଇଁ ଲବି କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନିଲମ୍ବନ ଭଳି ପଦକ୍ଷେପ ବି ନିଆଯାଇ ପାରେ । ଏପରିକି ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ସିସିଆରରେ ନାଲି ଦାଗ ଲାଗିବ । ଏପରି ଚେତାବନୀ ଦେଇଛନ୍ତି ମନୋଜ ଆହୁଜା । ଯାହା ଅନେକ ସରକାରୀ କର୍ମଚାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି ।