ଆଜି ଆଲୋକର ପର୍ବ ଦୀପାବଳି

0

(ବିପ୍ଲବୀ ପରିକ୍ରମା ବ୍ୟୁରୋ); ଆଜି ଦୀପାବଳି । ଆଲୋକର ପର୍ବ ପାଇଁ ଆକାଶଛୁଆଁ ଉତ୍ସାହ ଓ ଉଦ୍ଦୀପନା । କିଏ ବାଣ କିଣି ଘରେ ଗଦା କଲାଣି, ତ ଆଉ କିଏ ଘରକୁ ସଜାଇଲାଣି ସୁନ୍ଦର ଆଲୋକମାଳାରେ । ବିଷାକ୍ତ ଧୂଆଁ, କ୍ଷତିକାରୀ ପ୍ରଦୂଷଣ ଓ ଅତ୍ୟଧିକ ଶବ୍ଦ ସୃଷ୍ଟିକାରୀ ବାଣ ନଫୁଟାଇବା ପାଇଁ ଲୋକଙ୍କୁ ସଚେତନ କରାଯାଉଥିବା ବେଳେ, ବାଣ ବଜାର ଉପରେ ବି ପ୍ରଶାସନର କଡ଼ା ନଜର ରହିଛି । ସେପଟେ ଆସନ୍ତାକାଲି କେବଳ ଦୀପାବଳି ନୁହେଁ, କାଳୀପୂଜା ଏବଂ ପୟାଶ୍ରାଦ୍ଧ ପାଇଁ ମଧ୍ୟ ପ୍ରସ୍ତୁତି ଚୂଡ଼ାନ୍ତ ହେଲାଣି ।
ଆଜି ସଞ୍ଜ ନଇଁଲେ ଜାଳିବା ଲକ୍ଷ ଲକ୍ଷ ଦୀପ। କେଉଁଟି ଧପ୍ ଧପ୍ ଜଳି ଆଖି ଝଲସାଇଦେବ, ତ ଆଉ କେଉଁଟି ଢୋ କରି ଫୁଟି ଛାତି ଥରାଇ ଦେବ । ହାବେଳି ଆକାଶ ଭେଦିବ, କୁମ୍ପି ଆଉ ଚକ୍ରି ଭୂଇଁରେ କରିସ୍ମା ଦେଖାଇବ । ଘରେ ଘରେ ଆଜି ଉତ୍ସାହର ମାହୋଲ । ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ଗାଁରୁ ସହର । ଏପଟେ ପୟାଶ୍ରାଦ୍ଧ ପାଇଁ ଶ୍ରୀକ୍ଷେତ୍ରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣାଇଲେ ପବିତ୍ର ଦୀପାବଳିର ଶୁଭେଚ୍ଛା । କହିଲେ- ବିକାଶର ଆଲୋକ ସମସ୍ତଙ୍କ ଜୀବନକୁ ଆଲୋକିତ କରୁ ।ସେହିପରି ଆଜିଠାରୁ ଧରାବତରଣ କରିବେ ମହାଶକ୍ତି ମହାକାଳୀ । ଏଥିପାଇଁ ସବୁ ମଣ୍ଡପରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମଧ୍ୟରାତ୍ରୀରେ ଶ୍ୟାମାକାଳୀଙ୍କୁ ଆବାହନ କରିବେ ମଣ୍ଡପ କର୍ମକର୍ତ୍ତା । ଚଣ୍ଡିପାଠରେ କମ୍ପିବ ପୂଜା ମଣ୍ଡପ । ମହାଶକ୍ତିଙ୍କ ପୂଜା ପାଇଁ ସଜେଇ ହୋଇଛି ସବୁ ମଣ୍ଡପ । ସେହିପରି ଶ୍ରୀମନ୍ଦିର ନିକଟରେ କାଉଁରିଆ କାଠି ଜାଳୁଛନ୍ତି ଶ୍ରଦ୍ଧାଳୁ । ବିଧି ମୁତାବକ ଫଳ, ଫୁଲ, ଚନ୍ଦନ ଆଦି ଦ୍ରବ୍ୟରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁ ଶ୍ରାଦ୍ଧ ଦାନ କରିଛନ୍ତି । ଉଦ୍ଦିଷ୍ଟ ସ୍ଥାନରେ ପୋଲିସ ଓ ଅଗ୍ନିଶମ ବାହିନୀ କଡା ସୁରକ୍ଷା ଓ ବ୍ୟାରିକେଡ ମଧ୍ୟରେ କାଉଁରିଆ ଜାଳି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଛନ୍ତି ଶ୍ରଦ୍ଧାଳୁ । ଜଗା ଦର୍ଶନ ସହ ପୟାଶ୍ରାଦ୍ଧ ପାଇଁ ଲୋକାରଣ୍ୟ ହୋଇଛି ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ।

 

LEAVE A REPLY

Please enter your comment!
Please enter your name here