ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆଜି ଛାଡଖାଇ l ସରିଛି କାର୍ତ୍ତିକ ଆରମ୍ଭ ହୋଇଛି ମାର୍ଗଶିର । ଗତକାଲି ସଂକ୍ରାନ୍ତି ଥିବାରୁ ଆଜି ଜମିବ ଅସଲ ଛାଡଖାଇ । ମାସେ ହେଲାଣି ପାଟିରେ ଆମିଷ ବାଜିନଥିଲା । ତେଣୁ ଅନେଇ ବସାଇଥିଲେ ପାଟିରେ ଟିକେ ଆମିଷ ପାଣି ବଜାଇବାକୁ । ସେଥିପାଇଁ ସକାଳୁ ସକାଳୁ ବିଭିନ୍ନ ଆମିଷ ବଜାରରେ ଲୋକଙ୍କ ଗହଳି ଲାଗିଛି । ବିଭିନ୍ନ ପ୍ରକାର ମାଛ, ଚିଙ୍ଗୁଡି, କଙ୍କଡ଼ା, ମଟନ ଓ ଚିକେନରେ ଭରି ରହିଛି ଆମିଷ ବଜାର । ଆଉ ଲୋକମାନେ ନିଜ ପସନ୍ଦ ମୁତାବକ ଆମିଷ ବୋହି ନେଉଛନ୍ତି ଘରକୁ।
ଅନ୍ୟପଟେ ଆଜି ରବିବାର ଆମିଷ ମାର୍କେଟରେ ଲୋକଙ୍କ ଭିଡ଼ ଲାଗିବା କଥା ଦୋକାନୀଙ୍କୁ ଆଗରୁ ଜଣାଥିଲା । ସେଥିପାଇଁ ପ୍ରତିଦିନ ତୁଳନାରେ ଆଜି ଅଧିକ ମାଛ ଗଦାଇଛନ୍ତି । ରେଟ ବି ଚଢ଼ା ରହିଛି । ବିଶେଷ କରି ରୋହି, ଭାକୁର , ଇଲିସ, ଚିଙ୍ଗୁଡି, ଚାନ୍ଦି, ଭେକଟି ମାଛର ଚାହିଦା ଅଧିକ ରହିଛି । ଭାକୁଡ଼ ୩୦୦ରୁ ୩୨୦ରେ ବିକ୍ରି ହେଉଥିବା ବେଳେ ରୋହି ୨୮୦ରୁ ୩୦୦ ଟଙ୍କାରେ ବିକ୍ରି ହେଉଛି । ଇଲିସ ଓ ଚାନ୍ଦିର ଦରରେ ରେକର୍ଡ ପାର କରିଯାଇଛି । ଇଲିସ କେଜି ୧୦୦୦ରୁ ୧୨୦୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ଚାନ୍ଦି ୧୨୦୦ରୁ ୧୪୦୦ ଟଙ୍କା କେଜିରେ ବିକ୍ରି ହେଉଛି । ଖାଲି ମାଛ ନୁହେଁ ମାଂସ ଦୋକାନରେ ବି ଲୋକଙ୍କ ଗହଳି ଦେଖିବାକୁ ମିଳୁଛି । ଚିକେନ୍ ଦର ୨୩୦ରୁ ୨୫୦ ରହିଛି । ଖାସି ମାଂସ ଦର ବି ସାଧାରଣ ଦିନଠାରୁ ଅଧିକ ରହିଛି । ୭୦୦ରୁ ୮୫୦ କେଜିରେ ବିକ୍ରି ହେଉଥିବା ଖାସି ମାଂସ ଦର ଆଜି ହଜାରେ ପର୍ଯ୍ୟନ୍ତ ଧରିବାକୁ ବସିଲାଣି । ତଥାପି ମାଂସ କିଣିବାକୁ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି ।