ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଦୁଇ ଦଶନ୍ଧି ଧରି ପୋଲିସ ଓ ପ୍ରଶାସନର ନିଦ ହଜାଇ ଦେଇଥିବା ଏହି ଟପ୍ ମାଓନେତାଙ୍କ ଏବେ ପାଠରେ ବେଶ୍ ଆଗ୍ରହ ଦେଖାଦେଉଛି । ଓଡ଼ିଶା ଷ୍ଟେଟ୍ ଓପନ ୟୁନିଭରସିଟିରୁ ପବ୍ଲିକ୍ ଆଡମିନିଷ୍ଟ୍ରେସନରେ MA କରିବାକୁ ପାଠ ପଢୁଛନ୍ତି ବ୍ରହ୍ମପୁର ଜେଲରେ ଆଜୀବନ ସଜା କାଟୁଥିବା ସବ୍ୟସାଚୀ । ଏଥିପାଇଁ ତାଙ୍କୁ ଜେଲ୍ ପକ୍ଷରୁ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଇଛି । ଡିଗ୍ରୀ କରିବା ପରେ ମାଷ୍ଟର ଡିଗ୍ରୀ ହାସଲ ପାଇଁ ଚଳାଇଛନ୍ତି ଉଦ୍ୟମ lଜେଲ୍ ଭିତରେ ଅଧିକ ସମୟ କାଟୁଛନ୍ତି ପାଠପଢାରେ । ୨୦୨୨ରେ ହ୍ୟୁମାନିଟିରେ ଇଗନୋରୁ ଡିଗ୍ରୀ ହାସଲ କରିଥିବା ସବ୍ୟସାଚୀ ପଣ୍ଡା ଏବେ MA କରିବେ । ସବ୍ୟସାଚୀଙ୍କ ସହ ମୋଟ ୪ ଜଣ କଏଦୀ ଏବଂ ଦୁଇ ଜଣ ବିଚାରାଧୀନ ବନ୍ଦୀ ପରୀକ୍ଷା ଦେବେ ।ଏଥିପାଇଁ ସମସ୍ତଙ୍କୁ ଜେଲ୍ ପକ୍ଷରୁ ଷ୍ଟଡି ମାଟେରିଆଲ ଯୋଗାଇ ଦିଆଯାଉଛି । ଜେଲ୍ ଶିକ୍ଷକ ବି ପଢିବାରେ ସହଯୋଗ କରୁଛନ୍ତି । ସବ୍ୟସାଚୀ ପଣ୍ଡା ଓରଫ ଶରତ ଓରଫ ସୁନୀଲ । ଓଡ଼ିଶା ମାଓବାଦୀ ପାର୍ଟିର ମୁଖ୍ୟ, କୁଖ୍ୟାତ ମାଓବାଦୀ । ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିବା ସବ୍ୟସାଚୀଙ୍କ ମୁଣ୍ଡରେ ଥିଲା ୫ ଲକ୍ଷ ଟଙ୍କାର ପୁରସ୍କାର । ୧୮ ଜୁଲାଇ ୨୦୧୪, ବ୍ରହ୍ମପୁର ବଡ଼ବଜାର ଅଂଚଳରୁ ଗିରଫ ହୋଇଥିଲେ ସବ୍ୟସାଚୀ । ସେବେଠାରୁ ସେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ସଜା କାଟୁଛନ୍ତି । ସବ୍ୟସାଚୀଙ୍କ ନାଁରେ ୧୩୦ରୁ ଅଧିକ ମାଓ ହିଂସା ସହ ଜଡିତ ମାମଲା ରହିଛି । ପ୍ରାୟ ୧୦ ବର୍ଷ ହେଲା ସେ ଜେଲରେ ସଜା କାଟୁଛନ୍ତି । ବାସ୍ତବରେ ସବ୍ୟସାଚୀଙ୍କ କ୍ଷେତ୍ରରେ ଆସିଥିବା ପରିବର୍ତ୍ତନ ଅନ୍ୟ କଏଦୀଙ୍କ କ୍ଷେତ୍ରରେ ଦିଗଦର୍ଶନ ସୃଷ୍ଟି କରିବ l