କେନ୍ଦୁଝର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କେନ୍ଦୁଝର ଜିଲ୍ଲା ତଥା ବନଖଣ୍ଡ ଅନ୍ତର୍ଗତ ବଡବିଲ ବନାଞ୍ଚଳର ଗୁଆଲି ସେକ୍ସନ୍ ଅଧିନସ୍ଥ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରୁ କୁଟୁରା ଶୀକାର ଅଭିଯୋଗରେ ଆଜି ବନବିଭାଗ ରୁଗୁଡି ଫାରମ୍ ସାହିର ୩ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଗ୍ରାମର ମାଟୁରା ମୁଣ୍ଡା, ଜେନା ମୁଣ୍ଡା ଓ ରଥ ମୁଣ୍ଡା।
ସୂଚନାନୁସାରେ ସୋମବାର ବନ ବିଭାଗର ପେଟ୍ରୋଲିଂ ଟିମ୍ ଜଙ୍ଗଲରେ ପେଟ୍ରୋଲିଂ କରୁଥିବା ସମୟରେ ଜଙ୍ଗଲରେ ହୋ ହାଲ୍ଲା ଶବ୍ଦ ଶୁଣି ଅତର୍କିତ ଚଢ଼ାଉ କରିଥିଲେ। ଚଢାଉ ସମୟରେ ଅଭିଯୁକ୍ତ ମାନେ ଫେରାର ହେବାରେ ସକ୍ଷମ ହୋଇଥିଲେ ସତ ମାତ୍ର ପେଟ୍ରୋଲିଂ ଟିମ୍ ତାଙ୍କୁ ଚିହ୍ନଟ କରି ସାରିଥିଲା। ପରେ ଗୁଆଲି ବନପାଳ ଶ୍ରୀ ଅକ୍ଷୟ ମହାନ୍ତିଙ୍କ ନେତୃତ୍ବରେ ବନ ବିଭାଗ ରୁଗୁଡି ଫାରମ୍ ସାହିରେ ଚଢାଉ କରି ୩ଜଣକୁ ଗିରଫ କରିବା ସହ ଘଟଣା ସ୍ଥଳରୁ ଟାଙ୍ଗିଆ, ଜନ୍ତୁ ଧରିବା ଫାସ ଓ କଟା କୁଟୁରା ମାଂସ ଜବତ୍ କରିଥିଲେ l
ମଙ୍ଗଳବାର ଅପରାହ୍ନରେ ଅଭିଯୁକ୍ତଙ୍କୁ ବଡବିଲ ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇଥିବା ବେଳେ ଜବତ୍ କୁଟୁରା ମାଂସକୁ ପରୀକ୍ଷା ପାଇଁ ଲବ୍ରୋଟାରି ପଠାଇବା ସହ ଅବଶିଷ୍ଟ ମାଂସକୁ ପଶୁଧନ ଚିକିତ୍ସକଙ୍କ ଉପସ୍ଥିତିରେ ପୋତି ଦିଆଯାଇଛି। ଅନ୍ୟ ପକ୍ଷରେ ଆଇନଗତ ପ୍ରକ୍ରିୟା ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଗୁଆଲି ବନପାଳ ଶ୍ରୀ ଅକ୍ଷୟ ମହାନ୍ତି ସୂଚନା ଦେଇଛନ୍ତି।