ଯାଜପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ସଦର ଥାନା ବୁଢ଼ାଘାଟ ନିକଟରେ ଧାରଣା ସ୍ଥଳରେ ତାଙ୍କ ଗାଡି ଉପରକୁ ଆକ୍ରମଣ ହୋଇଥିବା ସୂଚନା ରହିଛି । ତେବେ ଏହି ଆକ୍ରମଣ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ସମର୍ଥକମାନେ କରିଥିବା ନିଜେ ବିଧାୟକ ଶ୍ରୀ ସାହୁ କହିଛନ୍ତି । ଘଟଣା ସମ୍ପର୍କରେ ବିଧାୟକ ହିମାଂଶୁ ସାହୁ ପୋଲିସ ଆଗରେ ଅଭିଯୋଗ କରିଛନ୍ତି ।
ଆକ୍ରମଣ ସଂପର୍କରେ ଗଣାମାଧ୍ୟମକୁ ଶ୍ରୀ ସାହୁଙ୍କ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ‘ବିରଜା ହାଟ ଖୋଲିବା ପ୍ରସଙ୍ଗକୁ ନେଇ ସ୍ଥାନୀୟ ଲୋକଙ୍କ ଦ୍ଵାରା ଧାରଣା ଓ ରାସ୍ତାରୋକ ଚାଲିଥିଲା । ଏହି ସମୟରେ ମୋ ଗାଡ଼ି ଲମ୍ବା ଧାଡ଼ିରେ ଛିଡ଼ା ହୋଇ ରହିଥିଲା । ହଠାତ୍ କିଛି ଲୋକ ଠେଙ୍ଗା ଓ ଟେକା ପଥରରେ ମୋ ଉପରେ ଓ ମୋ କାର ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହାପରେ ଆକ୍ରମଣକାରୀ ମାନେ ବବି ଦାସଙ୍କ ନାଁ ନେଇ ମୋ ଉପରେ ଆକ୍ରମଣ କରିଥିଲେ’।ପିଏସ୍ଓ ଠାରୁ ପିସ୍ତଲ ଛଡ଼ାଇ ମୋତେ ଫାୟାରିଂ କରିଥାନ୍ତେ । ଲୋକମାନେ ଆସିନଥିଲେ ସେମାନେ ମୋତେ ମାରିଦେଇଥାନ୍ତେ । ମୋତେ ମାରି ବାଇ ଇଲେକ୍ସନ କରିବା ଯୋଜନାରେ ଥିଲେ’ ।
ଯାଜପୁର ମାଇନର ମିନେରାଲ ବିଭାଗର ଡିଡିଏମ୍ ଅଫିସକୁ କାରରେ ଯାଉଥିଲେ ବିଧାୟକ । ଯାଜପୁର ଏସପି ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁସଂନ୍ଧନ ଜାରି ରଖିଛନ୍ତି । ଅନ୍ୟପକ୍ଷରେ ଏନେଇ ବିଜେଡ଼ି ନେତା ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି, ଘଟଣା ଘଟିବା ସମୟରେ ମୁଁ ସେ ସ୍ଥାନରେ ନଥିଲି । ବିଧାୟକଙ୍କୁ ବବିଙ୍କ ଭାଇ ଆକ୍ରମଣ କରିଥିବା ପ୍ରଶ୍ନରେ ସେ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ‘ଭାଇକୁ କହିଛି ଥାନାରେ ଯାଇ ବସିବାକୁ, ଦୋଷ ଥିଲେ କାର୍ଯ୍ୟାନୁଷ୍ଠାନ ହେଉ।’