ବଣ୍ଡାଘାଟିରେ ମନ୍ଥର ସୁଭଦ୍ରା ଗତି 

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ସରକାର ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଉଛନ୍ତି, ଶୁଣିବା ପରେ କିଏ କେତେ ସ୍ୱପ୍ନ ବୁଣି ସାରିଥିଲେ । ଯୋଜନା ପାଇଁ ଆବେଦନ କରି କିଏ ଭଙ୍ଗା ଘର ସଜାଡ଼ିବାକୁ ଭାବିଥିଲା, ତ କିଏ ସେଇ ଟଙ୍କାରେ ଘୁଷୁରୀ କିଣି ନୂଆ ବେଉସା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିଲା । ହେଲେ ୟା ଭିତରେ ତିନି ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ବଣ୍ଟା ସରିଥିଲେ ବି ଏମାନେ ବ୍ୟାଙ୍କକୁ ଦଉଡ଼ି ଦଉଡ଼ି ନୟାନ୍ତ । ଆକାଉଣ୍ଟରେ ଟଙ୍କାର ଦର୍ଶନ ନାହିଁ ।ମାଲକାନଗିରିର ବଣ୍ଡାଘାଟିରେ ଯେମିତି ଧକେଇଛି ସରକାରଙ୍କ ସବୁଠୁ ବଡ଼ ଏ ମହିଳା କଲ୍ୟାଣକାରୀ ଯୋଜନା । ସୁଭଦ୍ରାରେ ସାମିଲ ହେବାକୁ ୧୫ଶହ ୨୨ ଜଣ ଆବେଦନ କରିଥିଲେ ବି ସେ ଭିତରୁ ଅଧାରୁ ଅଧିକଙ୍କ ଆକାଉଣ୍ଟକୁ ଟଙ୍କାଟିଏ ବି ଯାଇନଥିବା ଅଭିଯୋଗ ହୋଇଛି ।

ବଣ୍ଡାଘାଟିର ଦୁଇଟି ପଞ୍ଚାୟତରେ ଅଛି ୩୧ଟି ଗାଁ । ସେ ଭିତରୁ ମୁଦୁଲିପଡ଼ା ପଞ୍ଚାୟତର ୭୪୮ ଏବଂ ଅଣ୍ଡ୍ରାହାଲ ପଞ୍ଚାୟତର ୭୭୪, ଏହିପରି ମୋଟ୍ ୧୫୨୨ ଜଣ ସୁଭଦ୍ରା ଯୋନଜାରେ ଆବେଦନ କରିଛନ୍ତି । ହେଲେ ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ମାତ୍ର ୫୧୫ ଜଣ ଆବେଦନକାରୀଙ୍କ ଖାତାକୁ ଟଙ୍କା ଆସିଥିଲା ବେଳେ ଅଧାରୁ ଅଧିକ ଏବେ ବି ଯୋଜନାର ଅପେକ୍ଷାରେ ।

ସୁଭଦ୍ରା ଟଙ୍କା ପାଇଁ କିଏ ୧୫ କିଲୋମିଟର, ତ ଆଉ କିଏ ୩୦ କିଲୋମଟର ଘାଟି ଓହ୍ଲାଇ ଗ୍ରାହକ ସେବା କେନ୍ଦ୍ରରେ ଭିଡ ଜମାଉଛି, ତ ଆଉ କିଏ ବ୍ୟାଙ୍କରେ ଧାଡି ବାନ୍ଧିଛି । ହେଲେ ସମସ୍ୟା ସାଜିଛି ଇ-କେୱାଇସି ଓ ଆଧାର ଅପଡେଟ୍ । କାହାର ଆଧାରରେ ଥିବା ନାଁ ସହିତ ବ୍ୟାଙ୍କ ପାସବୁକ୍‌ରେ ଥିବା ନାଁର ମେଳ ଖାଉନି, ତ କାହାର ନିଜ ନାଁରେ ମୋବାଇଲ ନଥିବାରୁ OTP ଆସିବାରେ ସମସ୍ୟା ।ଯେଉଁଥିପାଇଁ ଯୋଜନାରେ ସାମିଲ ହୋଇ ନପାରି ଦହଗଞ୍ଜ ହେଉଛନ୍ତି ଆବେଦନକାରୀ । ମନ୍ତ୍ରୀ ପ୍ରଭାତୀ ପରିଡ଼ା ପୂର୍ବରୁ ସ୍ପଷ୍ଟ କରି ସାରିଛନ୍ତି, କୌଣସି ଜଣେ ବି ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଯୋଜନାରୁ ବଞ୍ଚିତ ହେବେ ନାହିଁ ତେବେ ସେଇ ଆଧାରରେ ବଣ୍ଡାଘାଟିରେ ସବୁ ଯୋଗ୍ୟ ମହିଳାଙ୍କ ପାଖେ କେବେ ସୁଭଦ୍ରା ଟଙ୍କା ପହଞ୍ଚୁଛି, ତା ଉପରେ ରହିଛି ସମସ୍ତଙ୍କ ନଜର l

LEAVE A REPLY

Please enter your comment!
Please enter your name here