ବିପ୍ଲବୀ ପରିକ୍ରମା ଡିଜିଟାଲ :- ରାଜ୍ୟରୁ ଗଞ୍ଜେଇ ଚାଷ ମୂଳପୋଛ ଲକ୍ଷ୍ୟରେ ଗଢ଼ା ହୋଇଛି ଯୁଗ୍ମ ଟାସ୍କଫୋର୍ସ । ଅବକାରୀ ଓ ପୋଲିସ ବିଭାଗ ସାଙ୍ଗେ ହାତ ମିଳାଇଛନ୍ତି ଆଉ ୨ ବିଭାଗ । ୨୦୨୬ ସୁଦ୍ଧା ବେଆଇନ ନିଶା କାରବାର ବନ୍ଦ ପାଇଁ ରାଜ୍ୟ ସରକାରଙ୍କ ଟାର୍ଗେଟ୍ ପୂରଣ କରିବାକୁ ୯ ଜିଲ୍ଲାରେ ଚାଲିଛି ଅଭିଯାନ । ଡିଜିପି କହିଛନ୍ତି ମାସକ ଭିତରେ ୨ ହଜାର ୩୭୫ ଏକର ଜମିରେ ଗଂଜେଇ ଚାଷ ଧ୍ୱଂସ ହୋଇଥିବାବେଳେ ୮୦ ବେପାରୀ ବନ୍ଧା ହେଲେଣି ।ନୀଳ ଜହର ଚାଷକୁ ସମୂଳେ ଧ୍ୱଂସ ପାଇଁ ଓଡ଼ିଶା ପୋଲିସ କରିଛି ପଣ l
ଏଥିପାଇଁ ସବୁ ଜିଲ୍ଲାର ପୋଲିସ୍ ଏସପି ମାନଙ୍କୁ ଟାସ୍କ ଦେଇଛନ୍ତି ଡିଜିପି । ଆଉ ସେ ନିର୍ଦ୍ଦେଶ ପାଇବା ମାତ୍ରେ ଡ୍ରୋନ୍ ଓ ସାଟେଲାଇଟ୍ ସାହାଯ୍ୟ ନେଇ ଶହ ଶହ ଏକର ଜମିରୁ ସଫା ଚାଲିଛି ଗଂଜେଇ ।ବଡ଼ କଥା ହେଲା ଏଥର ଖାଲି ଅବକାରୀ ବିଭାଗ ଏ କାମରେ ଲାଗିନି, ବରଂ ତାକୁ ସହଯୋଗ କରୁଛନ୍ତି ପୋଲିସ୍, ରାଜସ୍ୱ ଓ ଜଙ୍ଗଲ ବିଭାଗ । ଏ ସମସ୍ତ ବିଭାଗମାନଙ୍କୁ ନେଇ ଏକ ଯୁଗ୍ମ ଟାସ୍କ ଫୋର୍ସ ବି ଗଠନ ହୋଇଛି । ଯାହାର ଫଳ ସ୍ୱରୂପ ଗଲା ମାସକ ଭିତରେ ୨ ହଜାର ୩୭୫ ଏକର ଜମିରେ ସମ୍ପୂର୍ଣ୍ଣ ଧ୍ୱଂସ କରାଗଲାଣି ଗଂଜେଇ ଚାଷ । ପ୍ରାୟ ୨୮ ଲକ୍ଷ ନୀଳ ନିଶା ବୃକ୍ଷ ଉପୁଡ଼ାଇ ସେଥିରେ ନିଆଁ ଲଗାଇଛି ଏ ଟାସ୍କ ଫୋର୍ସ । ଏପରି କିଛି ଚିତ୍ର କନ୍ଧମାଳ, ରାୟଗଡ଼ା, ବୌଦ୍ଧ ଓ ଦିଗପହଣ୍ଡିରୁ ଆସିଛି ।
ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି- ଯେଉଁ ସବୁ ଅଞ୍ଚଳରେ ନକ୍ସଲଙ୍କ ଦବଦବା ରହିଥିଲା, ସେଠି ହିଁ ବହୁଳ ଗଂଜେଇ ଚାଷ ହେଉଛି । ତେବେ ଏସବୁ ଆଉ ଚାଲିବନି । ମାଓବାଦ ସହ ଗଂଜେଇ ଚାଷକୁ ବି ସମୂଳେ ଧ୍ୱଂସ କରାଯିବ । ସେପଟେ ୨୦୨୬ ସୁଦ୍ଧା ରାଜ୍ୟରେ ବେଆଇନ ନିଶା କାରବାର ସମ୍ପୂର୍ଣ୍ଣ ବନ୍ଦ ପାଇଁ ସରକାରଙ୍କର ରହିଛି ଟାର୍ଗେଟ୍ ।