ଉଦଯାପିତ ହେଲା ଡିଜିପି ଆଇଜିପି ସମ୍ମିଳନୀ : ସ୍ମାର୍ଟ ପୋଲିସିଂ, AI, ସାଇବର ଠକେଇକୁ ମୋଦୀଙ୍କ ଗୁରୁତ୍ବ 

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ୩ ଦିନ ଧରି ଭୁବନେଶ୍ବରରେ ହେଉଥିବା ପୋଲିସ ଡିଜି ସମ୍ମିଳନୀ ଶେଷ ହୋଇଛି । ରାଜ୍ୟ ରାଜଧାନୀରୁ ଦେଶର ରାଜଧାନୀକୁ ଫେରି ଯାଇଛନ୍ତି ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ଏନଏସଏ । କିନ୍ତୁ ଦିଲ୍ଲୀ ଯିବା ପୂର୍ବରୁ ଦେଶର ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ସବୁ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳର ପୋଲିସ ଡିଜି ଓ ଜାତୀୟ ସୁରକ୍ଷା ସଂସ୍ଥାର ମୁଖ୍ୟଙ୍କ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ୩୬୦ ଡିଗ୍ରୀ ଆଲୋଚନା କରିଛନ୍ତି ମୋଦୀ, ଶାହା ଓ ଡୋଭାଲ । ଦେଶର ଆଭ୍ୟନ୍ତରୀଣ ଓ ବାହ୍ୟ ଶତ୍ରୁଙ୍କୁ ଶେଷ କରିବାକୁ ଗୁପ୍ତ ରଣନୀତି ମଧ୍ୟ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । ଜାତୀୟ ସୁରକ୍ଷା ସର୍ବୋପରି ଏଭଳି ଗୁରୁମନ୍ତ୍ର ସହ ଶେଷ ହୋଇଛି ପୋଲିସ ଡିଜି ସମ୍ମିଳନୀ।

 

ତୃତୀୟ ଦିନରେ ୫ଟି ବିନ୍ଦୁ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି । ଆତଙ୍କବାଦକୁ ଦମନ ପାଇଁ ରୋଡମ୍ୟାପ, ଉଗ୍ରବାଦୀ ସଙ୍ଗଠନର ସମୂଳ ବିନାଶ,ଉପକୂଳ ସୁରକ୍ଷା ପାଇଁ ନକ୍ସା ପ୍ରସ୍ତୁତ,ନୂଆ ଆପରାଧିକ ଆଇନ ବ୍ୟବହାର,ନିଶା କାରବାରରେ ରୋକ,ରାଜ୍ୟ ଓ ରାଜ୍ୟ ମଧ୍ୟରେ ସମନ୍ବୟ ରଖି କିଭଳି ଏହି ଚ୍ୟାଲେଞ୍ଜକୁ ସାମ୍ନା କରାଯାଇପାରିବ ସେନେଇ ସମ୍ମିଳନୀରେ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଓଡ଼ିଶାରେ ପୋଲିସ ଡିଜି ସମ୍ମିଳନୀ ଶେଷ ହୋଇଛି । ଜାତୀୟ ସୁରକ୍ଷାକୁ ନେଇ ଯେଉଁ ରଣନୀତି ଓଡ଼ିଶାରୁ ପ୍ରସ୍ତୁତ ହୋଇଛି ତାହା ଆଗକୁ ପୂରା ଦେଶ ଦେଖିବ ।

 

ସୂଚନା ଥାଉକି, ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ଏଥର ୫୯ ତମ ଡିଜି-ଆଇଜି ସମ୍ମିଳନୀ ହୋଇଥିଲା । ଯାହା ନଭେମ୍ବର ୨୯ ରୁ ଆରମ୍ଭ ହୋଇ ଡିସେମ୍ବର ୧ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ପ୍ରଥମ ଦିନ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଦ୍ବିତୀୟ ଦିନ ଓ ଅନ୍ତିମ ଦିନ ପ୍ରଧାନମନ୍ତ୍ରୀ ସାମିଲ ହୋଇଥିଲେ । ଏଥିରେ ବିଭିନ୍ନ ପ୍ରସଙ୍ଗ ଉପରେ ମାନସ ମନ୍ଥନ କରାଯିବା ସହ ବରିଷ୍ଠ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

LEAVE A REPLY

Please enter your comment!
Please enter your name here