(ବିପ୍ଲବୀ ପରିକ୍ରମା ବ୍ୟୁରୋ );ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ଦ୍ବାରା , ଗଂଜାମ ଜିଲ୍ଲା ଭଂଜନଗର ଠାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ ହୋଇଯାଇଛି । ଦିନ ତମାମ ଆୟୋଜିତ କାର୍ଯ୍ୟକ୍ରମ ଅବସରର , ସ୍ଥାନୀୟ ସାବିତ୍ରୀ ମହିଳା ମହାବିଦ୍ୟାଳୟ ଠାରେ ଦେଢ଼ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ନୂତନ କୋଠା , ବ୍ଳକ କାର୍ଯ୍ୟାଳୟ ନିକଟରେ ନିର୍ମିତ ମିଶନ୍ ଶକ୍ତି ଭବନ ଏବଂ ୯ କୋଟି ଟଙ୍କା ବ୍ୟୟ ଅଟକଳ ରେ ନିର୍ମିତ , ସରକାରୀ ITI ର ନୂତନ କୋଠା କୁ ଉଦଘାଟନ କରିଥିଲେ , ମନ୍ତ୍ରୀ ଶ୍ରୀ ଆରୁଖ । ବିଶେଷକରି ନାରୀ ଶିକ୍ଷା ପ୍ରତି ଗୁରୁତ୍ବ ଦେଉଥିବା ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମଧ୍ୟରୁ , ଭଂଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟର ଆହୁରି ଅଧିକ ଉନ୍ନତିକରଣ ହେବାକୁ ଯାଉଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ , ୨ କୋଟି ୨୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଖୁବଶିଘ୍ର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି, ମନ୍ତ୍ରୀ ଶ୍ରୀ ଆରୁଖ ନିଜ ପ୍ରତିକ୍ରିୟାରେ କହିଥିଲେ । ସେହିଭଳି ମହିଳା ମାନଙ୍କ ବିକାଶ ଏବଂ ସେମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ହେଉଥିବା ବିଭିନ୍ନ ଯୋଜନା ଭଳି , ଭଂଜନଗର ଠାରେ ଉଦଘାଟିତ ହୋଇଥିବା ମିଶନ୍ ଶକ୍ତି ଭବନ ଦ୍ବାରା ସେମାନଙ୍କ ମନୋବଳ ଆହୁରି ସୁଦୃଢ଼ ହୋଇ ପାରିବ । ଏହା ବ୍ୟତୀତ ଭଂଜନଗର ଅଞ୍ଚଳରେ ବୈଷୟିକ ଶିକ୍ଷାର ଆବଶ୍ୟକତା କୁ ଦୃଷ୍ଟିରେ ରଖି , ନିର୍ମିତ ହୋଇଥିବା ସରକାରୀ ITI ର ନୂତନ କୋଠା ଶୁଭାରମ୍ଭ ହେବାଦ୍ବାରା, ବୈଷୟିକ ଶିକ୍ଷା ପ୍ରତି ଛାତ୍ରଛାତ୍ରୀ ଙ୍କ ମନୋବଳ ବୃଦ୍ଧି ପାଇବ ଏବଂ ଆର୍ଥିକ ଉନ୍ନତି ସାଙ୍ଗକୁ, ଶିଳ୍ପାନୁଷ୍ଠାନ ପାଇଁ ହେଉଥିବା ମାନବସମ୍ବଳର ଆବଶ୍ୟକତା ପୂରଣ ହୋଇପାରିବ ବୋଲି , ଆୟୋଜିତ ସଭାରେ ମନ୍ତ୍ରୀ ଶ୍ରୀ ଆରୁଖ କହିଥିଲେ ।