ପୁରୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):-:ଭାରତୀୟ ନୌସେନା ଦିବସ-୨୦୨୪’ ପାଳନ ଆସନ୍ତା କାଲି ହେବାକୁ ଥିବା ବେଳେ ବ୍ଲୁ-ଫ୍ଲାଗ ବିଚରେ ଫୁଲ୍ ଡ୍ରେସ ରିହରର୍ସାଲ ପ୍ରଦର୍ଶନୀ କରିଛି ଭାରତୀୟ ନୌସେନା । ସୋମବାର ଠାରୁ ଆରମ୍ଭ ହୋଇଥିବା ଦୁଇଦିନିଆ ଫୁଲ୍ ଡ୍ରେସ ରିହରସାଲ ଆଜି ଅପରାହ୍ନରେ ମଧ୍ୟ ହେବ । ୪ ତାରିଖରେ ହେବାକୁ ଥିବା ମୁଖ୍ୟ କାର୍ଯ୍ୟକ୍ରମରେ ୩ ସଶସ୍ତ୍ର ବଳର ସର୍ବୋଚ୍ଚ କମାଣ୍ଡର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟଅତିଥି ଭାବେ ଅଂଶଗ୍ରହଣ କରିବେ । ଏଥିରେ ପ୍ରାୟ ୧୫ ଟି ଯୁଦ୍ଧପୋତ ଓ ୪୦ ରୁ ଅଧିକ ନୌସେନା ବିମାନ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଗୋଟିଏ ପରେ ଗୋଟିଏ ଯୁଦ୍ଧ ଜାହାଜ ଏବେ ପୁରୀ ସୁମୁଦ୍ରରେ ପହଞ୍ଚିବାରେ ଲାଗିଛନ୍ତି ।
ଯାହାକୁ ଦେଖିବାପାଇଁ ବେଳାଭୂମିରେ ଦର୍ଶକଙ୍କ ବେଶ୍ ଭିଡ ଜମିଥିଲା । ଡ୍ରୋନ୍ ଏବଂ ଲେଜର ସୋ’ ଦର୍ଶକଙ୍କ ମନକୁ ବେଶ୍ ଛୁଇଁଥିଲା । ଟ୍ରାଫିକ୍ ସୁପରିଚାଳନା ଏବଂ ଗହଳି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଥିଲା । ତେବେ ବୁଧବାର (୪ ତାରିଖ) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମେ ୧୦ ଟା ୧୫ରେ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିସାରିବା ପରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେବେ । ପରେ ଅପରାହ୍ନ ୩ଟା ୫୫ରେ ନୌସେନା ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ବ୍ଲୁ-ଫ୍ଲାଗ ବିଚରେ ପହଞ୍ଚିବେ । କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ବେଳାଭୁମିରୁ ନେଇ ସମଗ୍ର ପୁରୀ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।