ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଡିସେମ୍ବର ୬ରେ ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ମୟୂରଭଞ୍ଜ ଜିଲ୍ଲାକୁ ଚତୁର୍ଥ ଥର ପାଇଁ ଆସୁଥିବା ବେଳେ ପ୍ରଥମ ଥର ନିଜ ଜନ୍ମମାଟି କୁସୁମୀ ବ୍ଲକ ଅନ୍ତର୍ଗତ ଉପରବେଡା ଗ୍ରାମରେ ପାଦ ଦେବେ । ସମଗ୍ର ଗାଁ ତାଙ୍କ ଅପେକ୍ଷାରେ lଏଥିପାଇଁ ସଜ୍ଜେଇ ହେଉଛି ମହାମହିମଙ୍କ ଜନ୍ମମାଟି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି ।
ମହାମହିମ ଛୋଟବେଳେ ପାଠ ପଢୁଥିବା ସ୍କୁଲ ‘ଉପରବେଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ’ ପରିଦର୍ଶନ କରିବେ । ସେଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ସେଠାକାର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ କିଛି ବିଶେଷ ବ୍ୟକ୍ତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସେପଟେ ରାଷ୍ଟ୍ରପତିଙ୍କୁ ପାଖରୁ ଦେଖିବା ପାଇଁ ଗାଁ ଲୋକଙ୍କ ସହିତ ଉପରବେଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି । ଅତି ସୁନ୍ଦର ଭାବରେ ଗାଁ ଏବଂ ଗାଁ ବିଦ୍ୟାଳୟକୁ ସାଜସଜ୍ଜା କରାଯାଉଛି । ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାରେ ଯେପରି କୌଣସି ତ୍ରୁଟି ନ ହୁଏ ସେନେଇ ଉପରବେଡା ଗ୍ରାମକୁ ଉଚ୍ଚ ପଦସ୍ଥ ଅଧିକାରୀମାନେ ଘନଘନ ଗସ୍ତ କରୁଛନ୍ତି ।