ଓଡ଼ିଶାରେ ଖୋଲିବ ୮ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି(ସିସିଇଏ) ବୈଠକରେ ଓଡ଼ିଶାରେ ୮ଟି ଏବଂ ସମଗ୍ର ଦେଶରେ ୮୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ଏବଂ ୨୮ଟି ନୂଆ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମଞ୍ଜୁର କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ଓଡ଼ିଶା ସମେତ ସମଗ୍ର ଦେଶରେ ଉତ୍ତମ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ଏହି ନୂଆ ବିଦ୍ୟାଳୟ ମଞ୍ଜୁର ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଭାରତ ସରକାର ୮୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଓ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟର ସମ୍ପ୍ରସାରଣ ପାଇଁ ପ୍ରାୟ ୫୮୭୨ କୋଟି ଟଙ୍କା ଏବଂ ୨୮ଟି ନୂଆ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରାୟ ୨୩୫୯ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହା ଦ୍ୱାରା ଏକବିଂଶ ଶତାବ୍ଦୀର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବ। ପ୍ରତିଷ୍ଠା ହେବାକୁ ଥିବା ସ୍ଥାନରେ ଶିକ୍ଷାର ଭିତ୍ତିଭୂମିର ବିକାଶ ହେବ। ଛାତ୍ରଛାତ୍ରୀ ବିଶେଷ ଭାବରେ ଏସସି, ଏସଟି ଏବଂ ଓବିସି ବର୍ଗର ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ। ବିଦ୍ୟାଳୟସ୍ତରରେ ଶିକ୍ଷାର ମାନରେ ଉନ୍ନତି ହେବ। ଛାତ୍ରଛାତ୍ରୀଙ୍କ ମାନସିକ, ଶାରିରୀକ, କ୍ରିଟିକାଲ ଥିଙ୍କିଂ ସହ ବୌଦ୍ଧିକ କ୍ଷମତା ବିକଶିତ ହେବ। ସ୍ଥାନୀୟ ଅଞ୍ଚଳରେ ଅନେକ ନିଯୁକ୍ତି ସୃଷ୍ଟି ହେବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ତେବେ ଓଡ଼ିଶାର ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, ଅନୁଗୋଳର ତାଳଚେର ଓ ଆଠମଲ୍ଲିକ, ଢେଙ୍କାନାଳର କାମାକ୍ଷାନଗର, ଖୋର୍ଦ୍ଧା ର ଆଇଟିବିପି ଖୋର୍ଦ୍ଧା, କୋରାପୁଟର ଜୟପୁର, ବଲାଙ୍ଗୀର ଜିଲ୍ଲାର ରେଲଓ୍ୱେ ଟିଟିଲାଗଡ଼ ଓ ପାଟଣାଗଡ଼ରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନା ହେବାର ନିଷ୍ପତି ନିଆଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l

LEAVE A REPLY

Please enter your comment!
Please enter your name here