ଠାକୁରମୁଣ୍ଡା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଜଙ୍ଗଲରୁ ଝୁଣା ଓ ମହୁ ସଂଗ୍ରହ କରିବାକୁ ଯାଉଥିବା ୨ ଆଦିବାସୀଙ୍କୁ ବନ ବିଭାଗ କର୍ମଚାରୀ ମାଡ ମାରିଥିବା ଅଭିଯୋଗ ହୋଇଛି । ବନବିଭାଗ ବିରୁଦ୍ଧରେ ସ୍ଥାନୀୟ ଗ୍ରାମବାସୀ ଅସନକୁଦର ବିଟ୍ ହାଉସ ଘେରାଉ କରିଥିଲେ । ଠାକୁରମୁଣ୍ଡା ବ୍ଲକ ଅସନକୁଦର ଗ୍ରାମରେ ୨୦୧୧ ମସିହା ଠାରୁ ୩୪ଜଣ ଖଡିଆ ମଙ୍କଡିଆ ପରିବାରକୁ ଥଇଥାନ କରାଯାଇଥିଲା । ସେହି ସମ୍ପ୍ରଦାୟ ସ୍ଥାନୀୟ ଜଙ୍ଗଲରୁ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ନିଜ ଗୁଜୁରାଣ ମେଣ୍ଟାଉ ଥିଲେ । ଗତ ୨୮ ତାରିଖ ଦିନ ଜଙ୍ଗଲକୁ ଝୁଣା ଓ ମହୁ ସଂଗ୍ରହ କରିବାକୁ ଯାଇଥିବା ବେଳେ ବନ ବିଭାଗ କର୍ମଚାରୀ ଖଡ଼ିଆ ସମ୍ପ୍ରଦାୟର ମଧୁ ଦେହୁରୀ ଓ ପଞ୍ଚୁ ଦେହୁରୀଙ୍କୁ ପଣସକୁଦର ବିଟ୍ ର କର୍ମଚାରୀ ମାଡ଼ ମାରିବା ସହିତ ଅଟକ ରଖିଥିଲେ । ଏହାର ପ୍ରତିବାଦରେ ଅସନକୁଦର ଗ୍ରାମବାସୀ ସେଠାରେ ପହଞ୍ଚି ବିଟ୍ ହାଉସ ରେ କର୍ମଚାରୀଙ୍କୁ ଘେରାଉ କରିଥିଲେ । ଖବର ପାଇ ଶିମିଳିପାଳ, ଠାକୁରମୁଣ୍ଡା ଅଭୟାରଣ୍ୟ ବନ୍ୟାଞ୍ଚଳ ଅଧିକାରୀ ଠାକୁରମୁଣ୍ଡା ଥାନା ଅଧିକାରୀ ଘଟଣସ୍ଥଳରେ ପହଞ୍ଚି ବନ କର୍ମଚାରୀ ଙ୍କୁ ଉଦ୍ଧାର କରିଥିଲେ । ଏହାପରେ ଗ୍ରାମର ଆଦିବାସି ଜାତିଆଣ ଆକ୍ଷେପ କରିଥିବା ନେଇ ଥାନରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଠାକୁରମୁଣ୍ଡା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।