ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଦୁଇ ସେବାୟତ ବର୍ଗ ମଧ୍ୟରେ ବିବାଦ କାରଣରୁ ଉପବାସରେ ରହିଛନ୍ତି ମହାପ୍ରଭୁ ଲିଙ୍ଗରାଜ । ପୂଜା ଚାଲିଛି କିନ୍ତୁ, ନୀତି ବନ୍ଦ । ବଡୁ ସେବାୟତଙ୍କ ପାଇଁ ଏଭଳି ସ୍ଥିତି ଉପୁଜୁଥିବା ପୂଜାପଣ୍ଡା ଅଭିଯୋଗ କରିଛନ୍ତି । ଅଧିବାସ ପୂଜା ନୀତି ନକରାଇ ଦେବା ଯୋଗୁଁ ଆଜି ଦିନକ ପାଇଁ ମନ୍ଦିରରେ ନୀତି ବନ୍ଦ ରହିଛି । ମନ୍ଦିର ନିର୍ମାଣ ହେବାଠାରୁ ଅଧିବାସ ପୂଜା ଚାଲିଛି, କିନ୍ତୁ ବଡୁ ସେବାୟତ ଏମିତି ବିଧି ନାହିଁ ବୋଲି କହୁଛନ୍ତି । ଏପରିକି ୨୦୧୦ ମସିହାରୁ ମନ୍ଦିରର ଅଫିସିଆଲ୍ ସାଇଟରେ ମଧ୍ୟ ଏହି ପୂଜାର ନୀତି ବାବଦରେ ଲେଖା ରହିଛି । କିନ୍ତୁ ବଡୁ ସେବାୟତ ଅଯଥା ଯୁକ୍ତି କରି ନୀତି ବନ୍ଦ କରିଥିବା ଅଭିଯୋଗ ଆଣିଛନ୍ତି ପୂଜା ପଣ୍ଡା । ପୂର୍ବରୁ ପଇତା ଲାଗି ନୀତିକୁ ଏବେବି ଥାନାରେ ମାମଲା ଚାଲିଥିବା ବେଳେ ପୁନର୍ବାର ଆଉ ଏକ ସମସ୍ୟା ଦେଖା ଦେଇଛି । ତେବେ ଜଗନ୍ନାଥ ମନ୍ଦିର ପରି ଲିଙ୍ଗରାଜ ମନ୍ଦିରର ଏକ ସ୍ବତନ୍ତ୍ର ମନ୍ଦିର ଆଇନ (ଟେମ୍ପୁଲ ଆକ୍ଟ) କାର୍ଯ୍ୟକାରୀ କରିବା ପାଇଁ ଦାବି ଉଠିଛି । ନୀତିକାନ୍ତିର ସମ୍ପୁର୍ଣ୍ଣ ଲେଖା ରହିବା ଦରକାର ବୋଲି ପୂଜାପଣ୍ଡା କହିଛନ୍ତି । ପୂଜାପଣ୍ଡା ନିଯୋଗ ଏବଂ ବଡୁ ନିଯୋଗ ମଧ୍ୟରେ ମହାପ୍ରଭୁଙ୍କ ଅଧିବାସ ପୂଜାକୁ ନେଇ ମତପାର୍ଥକ୍ୟ ପାଇଁ ବନ୍ଦ ରହିଛି ସମସ୍ତ ନୀତିକାନ୍ତି । ଅବଢା ନପାଇ ନିରାଶ ହୋଇଛନ୍ତି ଶ୍ରଦ୍ଧାଳୁ । ଶନିବାର ସକାଳୁ ମଙ୍ଗଳ ଆଳତିଠାରୁ ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି ବନ୍ଦ ରହିଛି । ସୂଚନା ମୁତାବକ, ଓଢଣୀ ଷଷ୍ଠୀ ଅବସରରେ ମହାପ୍ରଭୁଙ୍କୁ ଓଢନୀ ଲାଗି କରାଯିବାର ପରମ୍ପରାକୁ ନେଇ ବିବାଦ ସୃଷ୍ଟି ହୋଇଛି lକିନ୍ତୁ ଦର୍ଶନ ଜାରି ରହିଛି । ତେବେ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ପାଇଁ ମନ୍ଦିର ପ୍ରଶାସନକୁ ସମ୍ପୂର୍ଣ ଦାୟୀ କରିଛି ପୂଜାପଣ୍ଡା ନିଯୋଗ ।