ବିପ୍ଲବୀ ପରିକ୍ରମା ଡିଜିଟାଲ :-:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ । ମୁମ୍ବାଇ ପୋଲିସକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ହ୍ବାଟ୍ସଆପ’ରେ କେହି ଦୁର୍ବୃତ୍ତ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା ନେଇ ଏକ ବାର୍ତ୍ତା ପଠାଇଥିବା ଜଣାାପଡିଛି । ପୋଲିସ ସାଇବର ସେଲ ଜରିଆରେ ମେସେଜ ଆସିଥିବା ନମ୍ବରର ଲୋକେସନ ଟ୍ରାକ କରିବାରେ ସଫଳ ହୋଇଛି । ନମ୍ବରଟିର କରେଣ୍ଟ ଲୋକେସନ ରାଜସ୍ଥାନର ଆଜମେର ବୋଲି ଜଣାପଡିବା ପରେ ତୁରନ୍ତ ପୋଲିସ ଟିମ୍ ଘଟଣାସ୍ଥଳ ଅଭିମୁଖେ ବାହାରିଛି । ରାଜସ୍ଥାନ ପୋଲିସ ସହଯୋଗରେ ମୁମ୍ବାଇ ପୋଲିସ ଦୁର୍ବୃତ୍ତକୁ ଚିହ୍ନଟ କରିବା ସହ ଗିରଫ କରିବା ପାଇଁ ପ୍ରୟାସ କରୁଥିବା ମୁମ୍ବାଇ ପୋଲିସର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ମେସେଜଟି ମୁମ୍ବାଇ ପୋଲିସର ଟ୍ରାଫିକ କଣ୍ଟ୍ରୋଲ ରୁମକୁ ଆସିଛି । ଏଥିରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ‘ଆଇଏସ-ଆଇଏସ’ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଦୁର୍ବୃତ୍ତ ନିଜକୁ ଆଇଏସ ଆତଙ୍କୀ ବୋଲି ଦାବି କରିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ବିସ୍ଫୋରଣରେ ଉଡାଇ ଦିଆଯିବ ବୋଲି ଧମକ ଦେଇଛି । ପୋଲିସ ତୁରନ୍ତ ଅଜ୍ଞାତ ବ୍ୟକ୍ତି ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।