ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ନିଜ ଜନ୍ମମାଟି ରାଇରଙ୍ଗପୁର ଗସ୍ତର ଶେଷ ଦିନରେ ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନୋଟି ରେଳ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସେଗୁଡିକ ହେଲା ବାଙ୍ଗିରିପୋଷି-ଗୋରୁମହିଷାଣି, ବୁଡାମରା-ଚାକୁଳିଆ ଓ ବାଦାମପାହାଡ-କେନ୍ଦୁଝର ରେଳ ସଂଯୋଗୀକରଣ । ମୋଟ ୬,୨୯୪ କୋଟି ଟଙ୍କା ବିନିମୟରେ ଏହି ତିନି ରେଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ।ଏହା ସହ ରାଷ୍ଟ୍ରପତି ଉକ୍ତ କାର୍ଯ୍ୟକ୍ରମ ମଞ୍ଚରୁ ଭିଡିଓ କନଫରେନ୍ସି ମାଧ୍ୟମରେ ରାଇରଙ୍ଗପୁରରେ ଟ୍ରାଇବାଲ ରିସର୍ଚ୍ଚ ସେଣ୍ଟର, ରାଇରଙ୍ଗପୁର ଦାଣ୍ଡବୋଷ ବିମାନ ବନ୍ଦରର ଉନ୍ନତିକରଣ, ଏବଂ ଉପଖଣ୍ଡ ଚିକିତ୍ସାଳୟକୁ ସୁପର-ସ୍ପେଶାଲିଟି ହସ୍ପିଟାଲ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବାଙ୍ଗିରିପୋଷିରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଓ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମଧ୍ୟ ଉପସ୍ଥିତ ଥିଲେ । ସେହିପରି ଅଧିକାରୀଙ୍କ ମଧ୍ୟରେ ଦକ୍ଷିଣ-ପୂର୍ବ ରେଳବାଇର ଜେନେରାଲ ମ୍ୟାନେଜର, ମୟୂରଭଞ୍ଜ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଗଣ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।
ଏହି ତିନୋଟି ରେଳ ଲାଇନର ସଂଯୋଗୀକରଣ ଦ୍ବାରା ବ୍ୟବସାୟ ବଢିବା ସହ ସ୍ଥାନୀୟ ଅର୍ଥନୀତି ମଧ୍ୟ ସୁଦୃଢ ହେବ । ଏହି ରେଳ ଯୋଗାଯୋଗ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଶିଳ୍ପକ୍ଷେତ୍ରକୁ ବଳ ଯୋଗାଇବା ସହ ଏହା ଦ୍ବାରା ସ୍ଥାନୀୟ ଲୋକମାନେ ନୂତନ ନିଯୁକ୍ତି ପାଇବାର ସୁଯୋଗ ପାଇବେ । ଏହା ବ୍ୟତୀତ ପରିବହନର ଏହି ନୂତନ ଧାରା ଅଞ୍ଚଳରେ ଚିକିତ୍ସା ଓ ଶିକ୍ଷାଗତ ସୁଯୋଗକୁ ପ୍ରୋତ୍ସାହିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ତେବେ ଶନିବାର ୫ ଦିନିଆ ଗସ୍ତ ସାରି ରାଷ୍ଟ୍ରପତି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଥିବା ସୂଚନା ମିଳିଛି l