ଡିପଫେକ୍ ଭିଡିଓକୁ ନେଇ ଗଭୀର ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ ମୋଦୀ

0

(ବିପ୍ଲବୀ ପରିକ୍ରମା ବ୍ୟୁରୋ);ଡିପ୍‌ଫେକ୍‌’କୁ ନେଇ ଗଭୀର ଚିନ୍ତାପ୍ରକଟ କଲେ ପ୍ରଧାନମନ୍ତ୍ରୀ ମୋଦି।  କୃତ୍ରିମ ବୁଦ୍ଧିମତା ବା ଏଆଇ ଜରିଆରେ ଏବେ ବିଭିନ୍ନ ସେଲିବ୍ରେଟିଙ୍କ ଡିପଫେକ ଫଟୋ ଏବଂ ଭିଡିଓ ପ୍ରସ୍ତୁତ କରାଯାଉଛି। ପ୍ରତିଷ୍ଠ ଲୋକଙ୍କ ଫଟୋ ଏବଂ ଭିଡିଓକୁ ବିକୃତ ଭାବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଡିପଫେକ୍‌ରୁ ବର୍ତ୍ତି ନାହାନ୍ତି। ବିଜେପିର ଦୀପାବଳି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଗୀତ ଗାଉଥିବା ବେଳର ଦୃଶ୍ୟକୁ ଭାଇରାଲ କରାଯାଇଥିଲା। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କରି ଏଭଳି ଡିପଫେକ୍ ଭିଡିଓ କରାଯାଉଥିବାରୁ ପ୍ରଧାନମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ଏନେଇ ଲୋକମାନଙ୍କୁ ଗଣମାଧ୍ୟମ ସଚେତନ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଡିପଫେକର ଶିକାର ହେଉଥିବା ବ୍ୟକ୍ତିମାନେ ପୋଲିସ ନିକଟରେ ଅଭିଯୋଗ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏଥିସହ ଏଭଳି ଭିଡିଓ ଆସିଲେ ଚିହ୍ନଟ କରି ଲୋକମାନଙ୍କୁ ସତର୍କ କରିବାକୁ ଚାଟ୍ ଜିପିଟିକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଆଇର ନକାରାତ୍ମକ ପ୍ରଭାବ ସମ୍ପର୍କରେ ମିଡିଆ ଲୋକଙ୍କୁ ସଚେତନା କରିବା ଉଚିତ। ବିଭିନ୍ନ ଲୋକଙ୍କୁ ବିକୃତି ଭାବେ ଦର୍ଶାଇବା କାମରୁ ଲୋକମାନେ କେମିତି ଦୂରେଇ ରହିବେ, ସେ ଦାୟିତ୍ୱ ମଧ୍ୟ ଗଣମାଧ୍ୟମ ସମ୍ପାଦକ କରୁ ବୋଲି ମୋଦି କହିଛନ୍ତି।ମୋଦି କହିଛନ୍ତି, “ନିକଟରେ ମୁଁ ଏମିତି ଗୋଟିଏ ଭିଡିଓକୁ ଦେଖିଛି ଯେଉଁଥିରେ ମୁଁ ଗରବା ଗୀତ ଗାଉଛି। ଏପରି ଅନେକ ଭିଡିଓ ସୋଶାଲ ମିଡିଆରେ ରହିଛି। ମୋତେ ଭଲ ପାଉଥିବା ଲୋକମାନେ ଏହାକୁ ଶେୟାର ମଧ୍ୟ କରିଥିଲେ। ସମସ୍ତେ ଭାବୁଥିଲେ ଯେ ମୁଁ ଗୀତ ଗାଇଛି। କିନ୍ତୁ ବାସ୍ତବରେ ଏହା ଡିପଫେକ ବିଷୟବସ୍ତୁ। ଡିପଫେକର ବିପଦ ଦିନକୁ ଦିନ ଘନେଇବାରେ ଲାଗିଛି। ଏହା ଆମ ସମସ୍ତଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିବ। ଡିପଫେକ ବିଷୟବସ୍ତୁ ତିଆରି କରିବା ପାଇଁ ଏଆଇର ବ୍ୟବହାର କରିବା ଅତ୍ୟନ୍ତ ସମସ୍ୟାଜନକ।”ମିଥ୍ୟା ତଥ୍ୟର ପ୍ରଚାର କିମ୍ବା ମନ୍ଦ ଉଦ୍ଦେଶ୍ୟ ରଖି ଡିପଫେକ ବିଷୟବସ୍ତୁ ପ୍ରସ୍ତୁତ କରାଯାଉଛି। ପୂର୍ବରୁ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ କାଟ୍ରିନା କୈଫ୍‌ଙ୍କ ଡିପଫେକ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଆଜି ବଲିଉଡ୍ ଅଭିନେତ୍ରୀ କାଜଲଙ୍କ ଡିପଫେକ୍ ଭିଡିଓ ଭାଇରାଲ ହେଉଛି । ଡିପଫେକ ବିଷୟବସ୍ତୁ ଉପରେ ରୋକ ଲଗାଇବା ପାଇଁ କେନ୍ଦ୍ର ସରକାର କଠୋର ଦଣ୍ଡବିଧାନର ବ୍ୟବସ୍ଥା କରିଛନ୍ତି। ଡିପଫେକ ପ୍ରସ୍ତୁତ କରିବା ଓ ଏହାର ପ୍ରଚାର କରୁଥିବା ଲୋକଙ୍କ ଉପରେ ୧ ଲକ୍ଷ ଟଙ୍କାର ଜୋରିମାନା ଓ ୩ ବର୍ଷର ଜେଲଦଣ୍ଡ ଲାଗୁ ହେବ। ଡିପଫେକରେ ଏମିତି ଅଡିଓ, ଭିଡିଓ ଓ ଫଟୋ ପ୍ରସ୍ତୁତ କରାଯାଉଛି ଯେ ଯାହା ଅସଲ କି ନକଲି ଜାଣିବା ବେଶ ମୁସ୍କିଲ।ତେଣୁ ଏହାକୁ ନେଇ ମୋଦି ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଦିଲ୍ଲୀରେ ଥିବା ବିଜେପି ମୁଖ୍ୟାଳୟରେ ଦୀପାବଳି ମିଳନ କାର୍ଯ୍ୟକ୍ରମରେ ସାମ୍ବାଦିକମାନଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି ଏଆଇ ଦ୍ୱାରା ପ୍ରସ୍ତୁତ ହେଉଥିବା ଡିପଫେକ ଭିଡ଼ିଓକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here