ଆଜି ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି

0

ନୂଆଦିଲ୍ଲୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ ସମାରୋହ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହେବ। ଏହି ସମ୍ମାନଜନକ କାର୍ଯ୍ୟକ୍ରମରେ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୀର୍ଘସ୍ଥାୟୀ ଓ ସମାବେଶୀ ବିକାଶ ଦିଗରେ ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଦେଇ ବିଭିନ୍ନ ବର୍ଗରେ ମନୋନୀତ ୪୫ଟି ପଞ୍ଚାୟତିରାଜ ସଂସ୍ଥାକୁ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରିବେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପଞ୍ଚାୟତିରାଜ, ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂ, ପଞ୍ଚାୟତିରାଜ, ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍ ପି ସିଂହ ବାଘେଲ ଏବଂ ପଞ୍ଚାୟତିରାଜ ମନ୍ତ୍ରଣାଳୟର ସଚିବ ବିବେକ ଭରଦ୍ୱାଜ ପ୍ରମୁଖ ଉପସ୍ଥିତ ରହିବେ। ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି, ଭାରତ ସରକାର ଏବଂ ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀଙ୍କ ସମେତ ଦେଶର ପଞ୍ଚାୟତ ପ୍ରତିନିଧିମାନେ ଯୋଗଦେବେ। ମହାମହିମ ରାଷ୍ଟ୍ରପତିଙ୍କ ଅଭିଭାଷଣ ଏହି ସମାରୋହର ମୁଖ୍ୟ ଆକର୍ଷଣ ହେବ, ଯେଉଁଥିରେ ବିକେନ୍ଦ୍ରୀକୃତ ଶାସନରେ ଉତ୍କର୍ଷତା କ୍ଷେତ୍ରରେ ପ୍ରୟାସ ଜାରି ରଖିବା ପାଇଁ ପୁରସ୍କାରପ୍ରାପ୍ତ ବ୍ୟକ୍ତି ଏବଂ ଉପସ୍ଥିତ ଲୋକଙ୍କୁ ପ୍ରେରଣା ମିଳିବ।

 

ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍‌ କେଳୁଆପଲ୍ଲିକୁ ସୁସ୍ଥ ପଞ୍ଚାୟତ ଭାବେ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ଦେବାକୁ ଚୟନ କରାଯାଇଛି । ଦେଶରେ ଦ୍ୱିତୀୟ ସ୍ଥାନରେ ରହିଥିବା ଏହି ପଞ୍ଚାୟତକୁ ପୁରସ୍କାର ରାଶି ରୂପେ ୭୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ସେହିପରି ଆତ୍ମନିର୍ଭରଶୀଳ ଭିତ୍ତିଭୂମି ନିର୍ମାଣ ପାଇଁ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ସାହାପୁର ପଞ୍ଚାୟତ ସାରା ଦେଶରେ ଦ୍ୱିତୀୟ ସ୍ଥାନ ହାସଲ କରିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ସ୍ୱରୂପ ଏହି ପଞ୍ଚାୟତକୁ ମଧ୍ୟ ୭୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯିବ । ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା ବଣାଇଗଡ଼ ବ୍ଲକ କେନ୍ଦ୍ରିକେଲା ପଞ୍ଚାୟତ ଅଙ୍ଗାରକାମ୍ଳ ମୁକ୍ତ ବିଶେଷ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ । ସାରା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଥିବା ଏହି ପଞ୍ଚାୟତକୁ ୭୫ ଲକ୍ଷ ଟଙ୍କା ଦିଆଯିବ । ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ବ୍ଲକ କାସିରା ପଞ୍ଚାୟତ ଜାତୀୟ ସ୍ତରରେ ତୃତୀୟ ସ୍ଥାନ ହାସଲ କରି ଗ୍ରାମ ଉର୍ଜା ସ୍ୱରାଜ ବିଶେଷ ପଞ୍ଚାୟତ ପୁରସ୍କାର ପାଇବାକୁ ମନୋନିତ ହୋଇଛି । ଏହି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିବ। ଓଡ଼ିଶାର ରାଜ୍ୟ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ଜାତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରି ପଞ୍ଚାୟତ କ୍ଷମତା ନିର୍ମାଣ ସର୍ବୋତ୍ତମ ସଂସ୍ଥାନ ପୁରସ୍କାର ପାଇବା ଲାଗି ମନୋନିତ ହୋଇଛି । ଏହି ପ୍ରତିଷ୍ଠାନକୁ ୭୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିବ । ଓଡ଼ିଶାର ଛତ୍ରପୁର ସାରା ଦେଶରେ ପ୍ରଥମ ସ୍ଥାନ ହାସଲ କରିବା ସହିତ ଶ୍ରେଷ୍ଠ ବ୍ଲକ୍‌ ପଞ୍ଚାୟତ ରୂପେ ନାନାଜି ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ରୂପେ ୨ କୋଟି ଟଙ୍କାର ପୁରସ୍କାର ରାଶି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି । ସେହିପରି ଜାତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରିବା ସହିତ କୋରାପୁଟ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ରୂପେ ୩ କୋଟି ଟଙ୍କାର ପୁରସ୍କାର ରାଶି ପାଇବ ।

LEAVE A REPLY

Please enter your comment!
Please enter your name here