ମାଲକାନଗିରି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବଣ୍ଡା ସମ୍ପ୍ରଦାୟର ଜୀବନଶୈଳୀରେ ପରିବର୍ତ୍ତନ ପାଇଁ କାର୍ଯ୍ୟ କରୁଛନ୍ତି ରାଜ୍ୟ ସରକାର । ପ୍ରତ୍ୟେକ ବଣ୍ଡା ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇ ପ୍ରଥମ କିସ୍ତି ପାଇବେ । କେହିବି ଏଥିରୁ ବଞ୍ଚିତ ହେବେ ନାହିଁ । ମାଲକାନଗିରି ଜିଲ୍ଲାର ବଣ୍ଡାଘାଟି ଗସ୍ତ କରି ଏପରି କହି ବଣ୍ଡା ସମ୍ପ୍ରଦାୟ ଲୋକଙ୍କ ସାହାସ ବଢାଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
ସେହିପରି ଦୁର୍ଗମ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ପ୍ରତ୍ୟେକ ଗୃହକୁ ଅତିରିକ୍ତ ୫୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଯୋଗାଇବା, ପଡେଇଗୁଡା ସ୍ଥିତ ସୀତାକୁଣ୍ଡ ଓ କେନ୍ଦୁଗୁଡା ସ୍ଥିତ ଆମାକୁଣ୍ଡର ବିକାଶ ତ୍ୱରାନ୍ୱିତ କରିବା ସହ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ ପାଇଁ ଚେଷ୍ଟା ଜାରି ରଖିବେ ବୋଲି କହିଛନ୍ତି । ମାଲକାନଗିରି ପହଞ୍ଚିବା ପରେ ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡା, ବଡଡୁରାଲ, ଅଣ୍ଡରାହାଲ, ମାଡକାପଦର ଭଳି ଦୁର୍ଗମ ବଣ୍ଡା ଅଞ୍ଚଳରେ ବସୁନ୍ଧରା ଯୋଜନା ଅନ୍ତର୍ଗତ ଘରବାଡ଼ି ପଟ୍ଟା ଓ ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଥିଲେ ଉପ ମୁଖ୍ୟମନ୍ତ୍ରୀ । ଏଥି ସହ ବଣ୍ଡା ଜନଜାତିଙ୍କ ଜୀବନଶୈଳୀରେ ପରିବର୍ତ୍ତନ ସ୍ଥିତିକୁ ପରଖିଥିଲେ । ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ମଧ୍ୟ ବଣ୍ଡା ଜନଜାତିର ଅଳଙ୍କାର ପରିଧାନ କରିଥିବା ଦେଖିବାକୁ ମିଳିଥିଲା ।
ଏହାପରେ ଏକ ବିରାଟ ଶୋଭାଯାତ୍ରାରେ ବଣ୍ଡା ମହିଳାମାନେ ପାରମ୍ପରିକ ବେଶଭୂଷା ପରିଧାନ କରି ବଣ୍ଡାନୃତ୍ୟର ତାଳେତାଳେ ଉପ ମୁଖ୍ୟମନ୍ତ୍ରୀଙ୍କୁ ମଞ୍ଚ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ନିଆରା ସମ୍ବର୍ଦ୍ଧନା ପାଇଁ ଆଦିମ ବଣ୍ଡା ମହିଳା ମାନଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ, ଏହି ଅଞ୍ଚଳର ଉନ୍ନତି ଓ ବଣ୍ଡା ସମ୍ପ୍ରଦାୟର ଜୀବନଶୈଳୀରେ ସକରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରୁଛନ୍ତି । ଖାସକରି ବଣ୍ଡା ମହିଳା ମାନଙ୍କୁ ସୁଭଦ୍ରା ଯୋଜନାରେ ଅର୍ଥ ପାଇନଥିବାରୁ ସେ ଦୁଃଖ ପ୍ରକାଶ କରିଥିଲେ । ଆସନ୍ତା ସମୟରେ ସମସ୍ତ ବଣ୍ଡା ମହିଳା ମାନେ ଶତପ୍ରତିଶତ ସୁଭଦ୍ରା ଅର୍ଥ ପାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଉପ ମୁଖ୍ୟମନ୍ତ୍ରୀ ପ୍ରଭବାତୀ ପରିଡା କହିଛନ୍ତି, ”ବଣ୍ଡା ଘାଟିକେ ସୁଭଦ୍ରା ଯୋଜନା ପହଞ୍ଚି ପାରୁନି ଖବର ମିଳିଥିଲା । ବଣ୍ଡା ଲୋକଙ୍କର ଜୀବନଶୈଳୀ କଣ ତାହା ଦେଖିବାକୁ ମୁଁ ଆସିଥିଲି । ଏଠାରେ ପ୍ରତି ମହିଳାଙ୍କ ଘରେ ସୁଭଦ୍ରା ଟଙ୍କା ପହଞ୍ଚିବ । ଏଠାକାର ମହିଳାଙ୍କ ଦାବି ଯେ ତାଙ୍କ ଅଲଙ୍କାର ସେ ରାଜଧାନୀ ବଜାରରେ ଦେଖାଇବାକୁ ଚାହିଁଛନ୍ତି । ତେଣୁ ତାଙ୍କ ପାଇଁ ମିଶନଶକ୍ତି ବଜାରରେ ଷ୍ଟଲ ଦରକାର । ଏଥି ପାଇଁ ଚେଷ୍ଟା କରିବି । ”