ବିପ୍ଲବୀ ପରିକ୍ରମା ଡିଜିଟାଲ :- ବିଜେପିର ବରିଷ୍ଠ ନେତା ଏବଂ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଆଜି ଏକ ବଡ଼ ଦାବି କରିଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ମିଳିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି । ନିଜ ଲୋକସଭା ନିର୍ବାଚନ ମଣ୍ଡଳୀ ବେଗୁସରାଇରେ ଗିରିରାଜ ସିଂହ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ନବୀନ ପଟ୍ଟନାୟକଙ୍କୁ ଖୁବ ପ୍ରଶଂସା କରିଛନ୍ତି । ନୀତୀଶ କୁମାର ଏବେ ବିଜେପିର ସହଯୋଗୀ ଥିବା ବେଳେ ନବୀନ ପଟ୍ଟନାୟକଙ୍କ ବିଜେଡି ମଧ୍ୟ ଏନଡିଏକୁ ସମର୍ଥନ ଦେଇଥାଏ ।
କେନ୍ଦ୍ରମନ୍ତ୍ରୀ ଗିରିରାଜ କହିଛନ୍ତି ଯେ,ନବୀନ ପଟ୍ଟନାୟକଙ୍କ ଶାସନକାଳରେ ଓଡ଼ିଶାର ବିକାଶ ହୋଇଛି । ଏଭଳି ନେତାଙ୍କୁ ଭାରତରତ୍ନ ଦିଆଯିବା ଉଚିତ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମାଲୋଚକ ଭାବେ ଜଣାଶୁଣା ଗିରିରାଜ ମଧ୍ୟ ନୀତୀଶଙ୍କୁ ପ୍ରଶଂସାରେ ପୋତିଛନ୍ତି । ନୀତୀଶଙ୍କ ଶାସନକୁ ପ୍ରଶଂସା କରି ସେ ତାଙ୍କୁ ମଧ୍ୟ ଭାରତରତ୍ନ ଦିଆଯାଉ ବୋଲି କହିଛନ୍ତି । ସେ କହିଥିଲେ ଯେ, ଯେଉଁମାନେ ୧୯୯୫ ମସିହା ପରେ ଜନ୍ମ ହୋଇଛନ୍ତି ଓ ଯେଉଁମାନଙ୍କ ବୟସ ୩୦ ବର୍ଷରୁ କମ,ସେମାନେ ବିହାରରେ ଲାଲୁଙ୍କ ଜଙ୍ଗଲ ରାଜ ବିଶୟରେ କିଛି ମଧ୍ୟ ଜାଣି ନାହାନ୍ତି । ନୀତୀଶ ବିହାରକୁ ସେହି ଜଙ୍ଗଲରାଜରୁ ବାହାରୁ ଆଣିବାରେ ସଫଳ ହୋଇଛନ୍ତି । ଓଡ଼ିଶାରେ ନବୀନ ମଧ୍ୟ ଭଲ କାମ କରିଛନ୍ତି । ଏଭଳି ନେତାମାନଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବା ଉଚିତ ।