ଏମ୍‌ ଏମ୍‌ ସରକାର ନୁହେଁ, ମହଙ୍ଗା ମାଡ଼ ସରକାର : ନବୀନ

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ଆନ୍ଦୋଳନ କରାଯାଇଛି। ବିଭିନ୍ନ ସାମଗ୍ରୀର ଅହେତୁକ ଦରଦାମ୍‌ ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଦଳ କରୁଛି ବିଶାଳ ବିକ୍ଷୋଭ । ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରୁ ନେତା ନିଜ ନିଜ କର୍ମୀଙ୍କୁ ଧରି ବିକ୍ଷୋଭସ୍ଥଳରେ ପହଞ୍ଚୁଛନ୍ତି । ରାଜଧାନୀରେ ହଜାର ହଜାର ବିଜେଡି କର୍ମୀଙ୍କ ମେଳରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ମୋହନ ଚରଣ ମାଝୀଙ୍କ ସରକାରକୁ ମହଙ୍ଗା ମାଡ଼ ସରକାର ବୋଲି କହି କଟାକ୍ଷ କରିଛନ୍ତି। ସେ କହିଛନ୍ତି, ଡବଲ ଇଞ୍ଜିନ ଡବଲ ମାଡ । ଦରବୃଦ୍ଧି ଓ GST ମାଡ଼ରେ ଲୋକ ନୟାନ୍ତ ହୋଇପଡ଼ିଲେଣି । ନିର୍ବାଚନ ବେଳେ ଟ୍ରେଲରରେ ଗୋଲାପୀ ଚିତ୍ର ଦେଖାଇଲା ବିଜେପି । କିନ୍ତୁ ଫିଲ୍ମ ରିଲିଜ ହେଲା ଏମ ଏମ ସରକାର ମହଙ୍ଗା ମାଡ଼ ସରକାର ।

 

ନବୀନ ପଟ୍ଟନାୟକ ଆହୁରି କହିଛନ୍ତି, ବିଜେପି ସରକାର ଗଠନ ହେବାର ସାତ ମାସ ହୋଇଗଲାଣି ହେଲେ ଦରଦାମ ବଢ଼ି ବଢ଼ି ଚାଲିଛି । ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଏହି ସରକାର ଲୋକଙ୍କ ସରକାର ବୋଲି ଦାବି କରୁଛି ହେଲେ ଲୋକଙ୍କ ସୁଖ ଦୁଃଖରେ ଏମାନଙ୍କ ସମ୍ପର୍କ ନଥିବା ଭଳି ଲାଗୁଛି । ଅତ୍ୟାବଶକୀୟ ଜିନିଷ ଦାମ ଆକାଶ ଛୁଆଁ ହେଲାଣି। ଦର ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ । ଅଦିନିଆ ବର୍ଷା ପାଇଁ ଚାଷୀ ପ୍ରତିଦିନ ଆତ୍ମହତ୍ୟା କରୁଛି । ଦରଦାମ ବୃଦ୍ଧି ସହିତ ଅଦିନିଆ ବର୍ଷା ବୋଝ ଉପରେ ନଳିତା ବିଡ଼ା ସଦୃଶ ମନେ ହେଉଛି । ଦରଦାମ ବୃଦ୍ଧି ପାଇଁ ହାଣ୍ଡିଶାଳରେ ମାଆମାନେ କାନ୍ଦୁଥିବା ବେଳେ ଫସଲ ନଷ୍ଟ ଦୁଃଖରେ ଚାଷୀ କାନ୍ଦୁଛନ୍ତି । ହେଲେ ସରକାର କୁମ୍ଭକର୍ଣ୍ଣ ନିଦରେ ଶୋଇଛି।

 

ମିଛ କଥା ମିଛ ପ୍ରତିଶ୍ରୁତି ଦେଇ ଏ ସରକାରକୁ ଆସିଛି । ବିଜେଡି ଠାରୁ କମ ଭୋଟ ପାଇ ସରକାରକୁ ଆସିଛି । GST ବେଶୀ ଗରିବ ଲୋକ ଦେଉଛନ୍ତି । ଭାରତୀୟ ଜନତା ପାର୍ଟି ସରକାର ଟ୍ରେଲରରେ ଗୋଲାପୀ ଚିତ୍ର ଦେଖେଇଲା କିନ୍ତୁ MM ସରକାର ଫିଲ୍ମ ରିଲିଜ ହେଲା । ସାଢେ ଚାରି କୋଟି ଓଡ଼ିଆ ସରକାରଙ୍କ ଅସଲ ଚେହେରା ଖୋଲିବେ । ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମ୍ପୂର୍ଣ ବିଫଳ ହୋଇଥିବା ବିଜେଡି ଅଭିଯୋଗ କରିଛି । ଦରଦାମ ବୃଦ୍ଧି ଯୋଗୁ ଜନସାଧାରଣ ହନ୍ତସନ୍ତ ହେଉଥିବା ବେଳେ ସରକାରଙ୍କ ଉପରେ ଏହାର କିଛି ପ୍ରଭାବ ପଡୁନଥିବା ଦଳ କହିଛି । ସରକାର ଦରଦାମ ନିୟନ୍ତ୍ରଣ କରିବା ପରିବର୍ତ୍ତେ ବିଭିନ୍ନ ପ୍ରକାର ଭ୍ରମାତ୍ମକ ଓ ମିଥ୍ୟା ତଥ୍ୟ ଦେଇ ଲୋକଙ୍କୁ ଭଣ୍ଡାଇବାକୁ ଚେଷ୍ଟା କରୁଥିବା ଦଳର ନେତା କହିଛନ୍ତି । ଏହାର ପ୍ରତିବାଦରେ ଆଜି ବିଜେଡି ଆୟୋଜନ କରିଛି ବିଶାଳ ଗଣବିକ୍ଷୋଭ ।

LEAVE A REPLY

Please enter your comment!
Please enter your name here