ଓଡିଶା (ବିପ୍ଲବୀ ପରିକ୍ରମା ) :- ଏବେ ହାତ ପାଆନ୍ତାରେ ମିଳିବ ବ୍ୟାଙ୍କ ସେବା । ଖୋଲିଲା ଆମ ବ୍ୟାଙ୍କ । ୨୦୨୪ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସବୁ ଗ୍ରାମପଞ୍ଚାୟତରେ ବ୍ୟାଙ୍କିଙ୍ଗ୍ ସୁବିଧା ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଆମ ବ୍ୟାଙ୍କ ସିଏସ୍ପି ପ୍ଲସ୍ ଆଉଟ୍ଲେଟ୍ ସୁବିଧା ଉପଲବ୍ଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସନ୍ଧ୍ୟାରେ ଏହି ସୁବିଧାର ଶୁଭାରମ୍ଭ କରି କହିଛନ୍ତି,ଆଜି ଆମ ପାଇଁ ଏକ ସ୍ମରଣୀୟ ଦିନ ହେବା ସହିତ ରାଜ୍ୟରେ ଆମ ବ୍ୟାଙ୍କ ଯୋଜନାର ଶୁଭାରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ୭୪୪ କେନ୍ଦ୍ର ଖୋଲାଯିବା ସହିତ ୨୦୨୩-୨୪ ଆର୍ଥିକ ବର୍ଷ ଶେଷସୁଦ୍ଧା ବ୍ୟାଙ୍କିଙ୍ଗ୍ ସୁବିଧା ନଥିବା ସବୁ ପଞ୍ଚାୟତରେ ଆମ ବ୍ୟାଙ୍କ ଖୋଲାଯିବ। ଏହା ଦ୍ବାରା ବ୍ୟାଙ୍କ ସେବାରୁ ବଞ୍ଚିତ ହେଉଥିବା ଲୋକମାନେ ଘର ପାଖରେ ବ୍ୟାଙ୍କିଙ୍ଗ ସୁବିଧା ପାଇପାରିବେ। ଆମ ବ୍ୟାଙ୍କ ସିଏସ୍ପି ପ୍ଲସ୍ ଆଉଟ୍ଲେଟ୍ ସୁବିଧା ସାରା ଦେଶରେ ପ୍ରଥମ ଥର ପାଇଁ ହୋଇଥିବାବେଳେ ରାଜ୍ୟ ସରକାର ୫୦୦ କୋଟି ଟଙ୍କା ଏଥିପାଇଁ ଖର୍ଚ୍ଚ କରିବେ । ଗ୍ରାହକମାନେ ଆମ ବ୍ୟାଙ୍କ୍ ସିଏସ୍ପି ପ୍ଲସ୍ ଶାଖା ମାଧ୍ୟମରେ ଜମିପଟ୍ଟା, ଆଧାରକାର୍ଡ, ଭୋଟରଆଇଡି, ଅନ୍ୟ ଡକ୍ୟୁମେଣ୍ଟ, ସେଭିଂ ଆକାଉଣ୍ଟ, ଚେକବୁକ, ଡେବିଟ କାର୍ଡ, ପାସବୁକ୍ ଅପଡେଟ ଆଦି ୧୫ ପ୍ରକାରର ବ୍ୟାଙ୍କିଙ୍ଗ୍ ସୁବିଧା ପାଇପାରିବେ । ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା ଓ ଭିନ୍ନକ୍ଷମ ଲୋକଙ୍କ ସହିତ ଲକ୍ଷଲକ୍ଷ ଗ୍ରାହକଙ୍କୁ ଏହି ସୁବିଧା ମିଳିବ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ପଂଜାବ ନ୍ୟାସନାଲ ବ୍ୟାଙ୍କ, ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ୟୁକୋ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ବରୋଦା ସହଯୋଗରେ ଏହି ପଦକ୍ଷେପ ନିଆଯାଇଛି। ନୂଆ ଓଡ଼ିଶା ଓ ସଶକ୍ତ ଓଡ଼ିଶା ଗଢ଼ିବାରେ ଏହା ସହାୟକ ହେବ। ଏହି ସମାରୋହରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ, ବ୍ୟାଙ୍କିଙ୍ଗ ସୁବିଧା ନଥିବା ପଞ୍ଚାୟତରେ ଲୋକଙ୍କୁ ବ୍ୟାଙ୍କିଙ୍ଗ ସେବା ଯୋଗାଇବା ସରକାରଙ୍କ ଲକ୍ଷ୍ୟ। ଏଥି ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇଛନ୍ତି। ୬ଟି ରାଷ୍ଟ୍ରାୟତ ବ୍ୟାଙ୍କର ସହାୟତାରେ ରାଜ୍ୟର ୬୮୦୦ ଗ୍ରାମପଞ୍ଚାୟତ ମଧ୍ୟରୁ ୪୩୦୦ରୁ ଊର୍ଦ୍ଧ୍ବ ବ୍ୟାଙ୍କ ବିହୀନ ଗ୍ରାମପଞ୍ଚାୟତରେ ସିଏସ୍ପି ପ୍ଲସ ଶାଖା ଖୋଲାଯିବ। ସେପଟେ ଲୋକଙ୍କ ପାଖରେ ବ୍ୟାଙ୍କିଙ୍ଗ ସେବା ପହଂଚାଇବା ଉଦ୍ୟମ ଭିତରେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି ।