ବିପ୍ଲବୀ ପରିକ୍ରମା ଡିଜିଟାଲ :- ଏଥର ଖଣ୍ଡଗିରି ଯାତ୍ରା ମଞ୍ଚରେ ଦେଖିବାକୁ ମିଳିବନି ଅଶ୍ଳୀଳ ନୃତ୍ୟ । ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣା ଓ ରାଣୀ ପ୍ରିୟଦର୍ଶିନୀ ଭଳି ବିବାଦୀୟ ଡାନ୍ସର । ମଙ୍ଗଳବାର ପୋଲିସ ପ୍ରଶାସନ ଓ ଯାତ୍ରା କମିଟି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଖଣ୍ଡଗିରି ଥାନା ପରିସରରେ ମଙ୍ଗଳବାର ଏନେଇ ବିଭିନ୍ନ କମିଟି ସହ ପୋଲିସ ପ୍ରଶାସନର ବୈଠକ ବସିଥିଲା । ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରାଜଗତକୁ କଳଙ୍କିତ କରୁଥିଲେ କିଛି ଆଇଟମ ଡାନ୍ସର । ଆଇଟମ ଡ୍ୟାନ୍ସ ନାଁରେ ଓଡ଼ିଆ ସଂସ୍କୃତି ଅପମାନିତ ହେଉଥିଲା । ଅଶ୍ଳୀଳତାର ମାତ୍ରା ଏତେ ହୋଇଥିଲା ଯେ, ସପରିବାର ଯାତ୍ରା ଦେଖିବା ମଧ୍ୟ ସମ୍ଭବ ହେଉନଥିଲା । ବରିଷ୍ଠ କଳାପ୍ରେମୀମାନେ ଏନେଇ ଯାତ୍ରା ଓ ମଞ୍ଚ ଅଭିନୟରୁ ମୁହଁ ଫେରିବାରେ ଲାଗିଥିଲେ । ଏହି ପ୍ରସଙ୍ଗ ଗଣମାଧ୍ୟମରେ ମଧ୍ୟ ବିତର୍କର ବିଷୟ ହୋଇଥିଲା । କେବଳ ଖଣ୍ଡଗିରି ଯାତ୍ରା ନୁହେଁ, ବରଂ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟରେ ଏପରି ଅଶ୍ଳୀଳ ନୃତ୍ୟର ଅଭିଯୋଗ ଆସିବାରେ ଲାଗିଥିଲା । କିଛି ସ୍ଥାନରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ଏପରି ଲଗାମଛଡା ପ୍ରଦର୍ଶନ ଉପରେ ରୋକ ଲାଗିବା ପାଇଁ କଳାପ୍ରେମୀ ଓ ବୁଦ୍ଧିଜୀବୀମହଲରେ ବାରମ୍ବାର ଦାବି ଉଠୁଥିଲା । ସରକାର ଏଥିପାଇଁ ନିର୍ଦ୍ଦେଶାବଳୀ ଜାରି କରନ୍ତୁ ବୋଲି ମଧ୍ୟ ଦାବି କରିଥିଲେ ବୁଦ୍ଧିଜୀବୀ ।
ତେବେ ଚଳିତ ବର୍ଷ ଖଣ୍ଡଗିରି ଯାତ୍ରା ଆରମ୍ଭ ହେବା ପୂର୍ବରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି l ଯାତ୍ରା କମିଟି ଓ ପ୍ରଶାସନ ଆଲୋଚନାରେ ଶୃଙ୍ଖଳିତ ଯାତ୍ରା ସହିତ ସ୍ବେଛାସେବୀ ନିୟୋଜିତ କରିବା ଭଳି ଦିଗ ଉପରେ ଆଲୋଚନା ହୋଇଛି ।