- ଉତ୍ତରାଖଣ୍ଡ ( ବିପ୍ଲବୀ ପରିକ୍ରମା ) :- ଅନ୍ଧାରୀ ଟନେଲ ରୁ ଫେରିଲା ଜୀବନ । ଉତ୍ତରକାଶୀ ଟନେଲ ଭିତରୁ ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ଶେଷ । ପ୍ରଥମ ଦଫାରେ ୫ ଶ୍ରମିକଙ୍କୁ ବାହାରକୁ ଅଣାଯାଇଥିଲା। ତାପରେ ପୁଣି ୪ ଜଣଙ୍କୁ ଉଦ୍ଧାର କରାଗଲା । ଏହିଭଳି ଭାବେ ଜଣକ ପରେ ଜଣେ, ସମସ୍ତ ୪୧ ଜଣଙ୍କୁ କରାଯାଇଛି ଉଦ୍ଧାର । ୧୭ ଦିନର ସଂଘର୍ଷ ପରେ ଆଜି ସମସ୍ତ ଶ୍ରମିକ ଉଦ୍ଧାର ହୋଇଛନ୍ତି । ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସମସ୍ତ ଶ୍ରମିକ ସୁରକ୍ଷିତ ଥିବା ସୂଚନା ମିଳିଛି । ଏହି ୧୭ ଦିନ ଭିତରେ ସମସ୍ତେ ଶ୍ରମିକଙ୍କୁ ଉଦ୍ଧାର ପାଇଁ ନିଜ ସାମର୍ଥ୍ୟ ଲଗାଇ ଦେଇଥିଲେ । କିଏ ଘଟଣାସ୍ଥଳରେ ରହି ଟନେଲ ଖୋଳୁଥିଲା ତ ଆଉ କିଏ ଘରେ ବସି ପ୍ରାର୍ଥନା କରୁଥିଲା । କୋଟି କୋଟି ଭାରତୀୟଙ୍କ କାମନା ଥିଲା ଶ୍ରମିକଙ୍କ ସହ । ଏହାରି ଭିତରେ ବଡ ଚ୍ୟାଲେଞ୍ଜ ଥିଲା ଟନେଲ ଭିତରେ ପଶି ଶ୍ରମିକଙ୍କୁ ଉଦ୍ଧାର କରିବା । ପାହାଡର ପଥର ଚଟାଣ ଭାଙ୍ଗିନପାରି ଭାଙ୍ଗି ଯାଇଥିଲା ଅଗର ମେସିନ । ହେଲେ ଭାଙ୍ଗିପାରିନଥିଲା ଉଦ୍ଧାରକାରୀଙ୍କ ମନୋବଳ । ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଦିନ ରାତି ଏକାକାର କରିଦେଇଥିଲେ ଉଦ୍ଧାରକାରୀ ଦଳ । ଦେଶର ବିକାଶରେ ଯେଉଁ ଶ୍ରମିକଙ୍କ ଅବଦାନ ରହିଛି ତାଙ୍କ ପାଇଁ ଏହି ୧୭ ଦିନରେ ଏକାଠି ହୋଇଥିଲା ସାରା ଦେଶ । ଆଉ ଶେଷରେ ୧୭ ଦିନ ପରେ ପଥର ଫଟାଇ ୪୧ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଏବଂ ପାହାଡର ଗର୍ବ ଭାଙ୍ଗି ଶ୍ରମିକମାନେ ବାହାରକୁ ବାହାରିଥିଲେ ମୁହଁରେ ହସ ନେଇ ବାହାର ଦୁନିଆ ଦେଖିବା ପାଇଁ । ନଭେମ୍ବର ୧୨ରେ ଶ୍ରମିକମାନେ ସବୁଦିନ ଭଳି ଟନେଲ ଭିତରକୁ କାମ କରିବା ପାଇଁ ଯାଇଥିଲେ। ସକାଳ୫ଟା ୩୦ରେ ହଠାତ୍ ଭୂସ୍ଖଳନ ଆରମ୍ଭ ହେବାରୁ ଅନେକ ଶ୍ରମିକ ବାହାରକୁ ଚାଲିଆସିଥିଲେ। ହେଲେ ହଠାତ୍ ନିର୍ମାଣାଧୀନ ଟନେଲର ୬୦ମିଟର ଅଂଶ ଧସିବାରୁ ୪୧ଜଣ ଶ୍ରମିକ ଟନେଲ ଭିତରେ ଫସି ଯାଇଥିଲେ। ଏହା ପରଠୁ ଆରମ୍ଭ ହୋଇଥିଲା ରେସ୍କ୍ୟୁ ଅପରେସନ୍ । ଏହି ଅଭିଯାନରେ ଭାରତୀୟ ସେନାର ଇଂଜିନିୟରଙ୍କୁ ସାମିଲ୍ କରାଗଲା। ନଭେମ୍ବର ୨୮ରେ ଟନେଲ୍ ଉଦ୍ଧାର କାର୍ୟ୍ୟରେ ରାଟ୍ହୋଲ୍ ମାଇନିଂ କୌଶଳ ମଧ୍ୟ ବ୍ୟବହାର କରାଯାଇ ସୁଡ଼ଙ୍ଗ ଭିତରକୁ ପାଇପ୍ ଭର୍ତ୍ତି କରାଗଲା। ପୂର୍ବରୁ ବ୍ୟାନ ଥିବା ଏହି କୌଶଳରେ ଭୁଶୁଡ଼ି ପଡ଼ିଥିବା ପଥର, ମାଟି ଓ କଂକ୍ରିଟକୁ ହାତରେ ସଫା କରାଯାଏ। ରାଟ୍ହୋଲ୍ ମାଇନିଂ କୌଶଳର ଉପଯୋଗରେ ଶ୍ରମିକଙ୍କ ପାଖରେ ପହଞ୍ଚିବାରେ ଉଦ୍ଧାରକାରୀ ଦଳ ସକ୍ଷମ ହେଲେ l