ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜିଲ୍ଲାରେ ଧାନ ସଂଗ୍ରହ ନୀତିରେ ବ୍ୟାପକ ଅନିୟମିତତା ଦେଖାଦେଇଛି । ପ୍ରଶାସନର ଅବହେଳାର ପରିଣାମ କୁ ଚାଷୀଙ୍କୁ ଭୋଗିବାକୁ ପଡୁଛି , ଯାହାକୁ ନେଇ ଚାଷୀମାନଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି । ଜିଲ୍ଲାରେ ଅଦିନିଆ ବର୍ଷାରେ ଫସଲ ନଷ୍ଟ ସାଙ୍ଗକୁ ପ୍ରଶାସନ ପକ୍ଷରୁ ମଣ୍ଡି ଖୋଲିବାରେ ବିଳମ୍ବ ଚାଷୀଙ୍କ ପରିସ୍ଥିତି ସହ ଉପହାସ କରାଯାଉଛି । ପ୍ରଥମେ ଡିସେମ୍ବର ୩୦ ତାରିଖରେ ମଣ୍ଡି ଖୋଲିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିଲା କିନ୍ତୁ ଅଦିନିଆ ବର୍ଷା କାରଣରୁ ଏହାକୁ ଘୁଞ୍ଚାଇ ପରବର୍ତ୍ତୀ ସମୟରେ ଜାନୁଆରୀ ୭ ତାରିଖରେ ମଣ୍ଡି ଖୋଲିଥିଲା , କିନ୍ତୁ ପ୍ରଶାସନର ଦାୟିତ୍ଵ ହିନତା ଓ ଅବହେଳା ଯୋଗୁଁ ଆଜି ପର୍ଯ୍ୟନ୍ତ ଚାଷୀ ଟୋକେନ ଥାଇ ମଧ୍ୟ ମଣ୍ଡିରେ ଧାନ ବିକ୍ରୀ କରିପାରୁ ନାହାଁନ୍ତି। ସେପଟେ ଟୋକେନ ଧାର୍ଯ୍ୟ ତାରିଖ ଠାରୁ ଦିନ ଗଡି ଯାଉଛି ଫଳରେ ଧାନ ମଣ୍ଡିରେ ବିକ୍ରୀ କରି ପାରିବେ କି ନାହିଁ ଚାଷୀ ଏବେବି ଦ୍ବନ୍ଦରେ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ଅଧିକାଂଶ ମିଲର ଧାନ ନେବାପାଇଁ ସହମତି ପ୍ରଶାସନକୁ ଜଣାଇ ନାହଁନ୍ତି । ତେବେ ବର୍ତମାନ ସୁଦ୍ଧା ୧୨ ଜଣ ମିଲର ସହମତି ଜଣାଇଥିବା ବେଳେ ୨୨ ଟି ମଣ୍ଡିରେ ନ୍ ଧାନ ସଂଗ୍ରହ ପ୍ରକିୟା ଜାରି ରହିଥିବା କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରି ପ୍ରଫୁଲ୍ଲ କୁମାର ବେହେରା । କିନ୍ତୁ ଯେଉଁସବୁ ମଣ୍ଡି ଖୋଲା ଯାଇଛି ସେଠାରୁ ମିଲ୍ ୩୦ ରୁ ୫୦ କିଲୋମିଟର ଦୂର । ଫଳରେ ଚାଷୀ ବସ୍ତା ପିଛା ପରିବହନ ଖର୍ଚ୍ଚ ୧୦୦ ରୁ ୨୦୦ ଟଙ୍କା ଅଧିକ ଦେବାକୁ ପଡ଼ିବ, ତେଣୁ ଚାଷୀ ମାନେ ମଣ୍ଡିରେ ଧାନ ଦେବା ଜିଦ୍ କରୁଛନ୍ତି । ଅନ୍ୟ ପକ୍ଷରେ ଯେଉଁଠି ମଣ୍ଡି ଖୋଲା ଯାଇଛି ସେଠାରେ ଚାଷୀ ଙ୍କ ଧାନ ରଖିବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ମଣ୍ଡିରେ ସୋସାଇଟି ସେକ୍ରେଟାରୀ ରେବତୀ ମୋହନ ରାଉତ ଚାଷୀଙ୍କୁ କୌଣସି ମିଲର ଧାନ ନେବାଯାଏ ମଣ୍ଡିରେ ଚାଷୀଙ୍କ ନିଜ ଧାନର ଦାୟିତ୍ୱ ନିଜେ ନେବାକୁ ବାଧ୍ୟ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଯେଉଁ କିଛି ଚାଷୀଙ୍କ ମିଲରଙ୍କ ପାଖକୁ ଧାନ ନେଉଛନ୍ତି ସେଠାରେ କୁଇଣ୍ଟାଲ ପୀଛା ବିଭିନ୍ନ ଆଳ ଦେଖାଇ ୫ କିଲୋ ପର୍ଯ୍ୟନ୍ତ କାଟ କରୁଥିବା କହିଛନ୍ତି ଜିଲ୍ଲା କୃଷକ ସଂଘର ସଭାପତି ସୁର୍ଯ୍ୟ ନାରାୟଣ ପଟ୍ଟନାୟକ, ଗୋପିନାଥ ପାତ୍ର ରଶ୍ମି ରଞ୍ଜନ ସାହୁ ପ୍ରମୁଖ । ଯାହାକୁ ନେଇ ଆଜି ପାରଳାଖେମୁଣ୍ଡି ନିୟନ୍ତ୍ରିତ ବଜାର କମିଟି ପଡ଼ିଆରେ ଖୋଲା ଯାଇଥିବା ମଣ୍ଡିରେ ଚାଷୀଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି । ଦୀର୍ଘ ସମୟ ଧରି ଚାଷୀ ଓ ଯୋଗାଣ ସରକାରୀ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରା ଙ୍କ ମଧ୍ୟରେ ବିବାଦୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା। ପରେ ପାରଳାଖେମୁଣ୍ଡି ବିଧାୟକ ରୁପେଶ କୁମାର ପାଣିଗ୍ରାହି ଓ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଘଟଣା ସ୍ଥଳରେ ପହଞ୍ଚି, ଚାଷୀ ମାନଙ୍କ ସହ ଆଲୋଚନା କରି ଚାଷୀଙ୍କ ଅଭିଯୋଗ ପ୍ରକାରେ ସମସ୍ତ ସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। କିନ୍ତୁ ମିଲରଙ୍କ ସହ ଏଯାବତ ଚୁକ୍ତି ସ୍ବାକ୍ଷର ହୋଇନଥିବା ଘଟଣାରେ ପ୍ରଶାସନ ପକ୍ଷରୁ ହୋଇଥିବା ଅବହେଳାକୁ ସ୍ୱୀକାର କରିବା ସହ ଅଧିକାଂଶ ମିଲରମାନେ ସହମତି ଜଣାଇ ନଥିବା ବେଳେ ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପଡୋଶୀ ଜିଲ୍ଲାର ମିଲର ମାନଙ୍କ ସହ ଆଲୋଚନା କରି ଧାନ ସଂଗ୍ରହ ପ୍ରକିୟାକୁ ତ୍ବରାନ୍ବିତ କରାଯିବ ବୋଲି କହିଛନ୍ତି । ଏନେଇ ପାରଳା ବିଧାୟକଙ୍କ କହିବା ହେଲା ସରକାର ବେରଙ୍ଗି ଧାନ ସଂଗ୍ରହ ଉପରେ ସରକାର ଯଥାଶୀଘ୍ର ନିଷ୍ପତ୍ତି ନେବା ଆବଶ୍ୟକ । ସେପଟେ ଚାଷୀ ଏଭଳି ବ୍ୟବସ୍ଥାକୁ ନାପସନ୍ଦ କରିବାସହ ଆନ୍ଦୋଳନକୁ ଓଲେଇବାକୁ ଚେତାବନି ଦେଇଛନ୍ତି । ତେବେ ଗୋଟିଏ ପଟେ ପ୍ରକୃତି ଦାଉ ସାଧିଛି ଆଉ ଗୋଟେ ପଟେ ପ୍ରଶାସନର ତୃଟି ପାଇଁ ହଟହଟା ହେଉଛନ୍ତି ଚାଷୀ ।