ସପ୍ତାହ ଭିତରେ ସୁନା ଦର ଦେଢ଼ ହଜାର ମହଙ୍ଗା

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ବିଭିନ୍ନ କାରଣରୁ ଦେଶରେ ଏବେ ସୁନା ଓ ରୁପା ଦର ବଢ଼ିବାରେ ଲାଗିଛି। ଭୁବନେଶ୍ବର ବଜାରରେ ଗତ ସପ୍ତାହକ ମଧ୍ୟରେ ସୁନା ଦର ପ୍ରାୟ ଦେଢ଼ ହଜାର ଟଙ୍କା ବଢ଼ିଯାଇଛି। ଜାନୁଆରି ୧୮ ତାରିଖରେ ଭୁବନେଶ୍ବରରେ ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା ୮୧,୧୦୦ ଟଙ୍କା ରହିଛି। ଯଦିଓ ଗତକାଲି ତୁଳନାରେ ଏଥିରେ କିଛିଟା ହ୍ରାସ ଘଟିଛି କିନ୍ତୁ ଚଳିତମାସ ୧୧ ତାରିଖ ତୁଳନାରେ ଏହାର ମୂଲ୍ୟରେ ୧୪୬୦ ଟଙ୍କା ବୃଦ୍ଧି ଘଟିଛି। ଜାନୁଆରି ୧୧ରେ ଭୁବନେଶ୍ବର ବଜାରରେ ୨୪ କ୍ୟାରେଟ୍‌ ସୁନା ଦର ୭୯,୬୪୦ ଟଙ୍କା ରହିଥିଲା। ସେହିଭଳି ୨୨ କ୍ୟାରେଟ୍ ସୁନା ଦର ଗତ ସପ୍ତାହକ ମଧ୍ୟରେ ୧୩୫୦ ଟଙ୍କା ବଢ଼ିଯାଇଛି। ଗତ ୧୧ ତାରିଖରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍‌ ପିଛା ୭୩ ହଜାର ଟଙ୍କା ରହିଥିଲା। ଜାନୁଆରି ୧୮ରେ ଏହା ୭୪୩୫୦ ଟଙ୍କାରେ ପହଞ୍ଚି ଯାଇଛି। ଅନ୍ୟପକ୍ଷରେ ରୁପା ଦର କିଲୋଗ୍ରାମ ପିଛା ଚଳିତ ସପ୍ତାହରେ ୩ ହଜାର ଟଙ୍କା ମହଙ୍ଗା ହୋଇଛି। ଚଳିତମାସ ୧୧ ତାରିଖରେ ଭୁବନେଶ୍ବର ବଜାରରେ ରୁପା ଦର ୧ ଲକ୍ଷ ୧ ହଜାର ଟଙ୍କା ଥିବାବେଳେ ୧୮ ତାରିଖରେ ଏହା ୧ ଲକ୍ଷ ୪ ହଜାର ଟଙ୍କାରେ ପହଞ୍ଚିଛି। ଅବଶ୍ୟ ଚଳିତ ସପ୍ତାହରେ ରୁପା ଦରରେ ବଡ଼ ଧରଣର ଅସ୍ଥିରତା ଦେଖିବାକୁ ମିଳିଛି। ୧୩ ତାରିଖରେ ହଜାରେ ଟଙ୍କା ବୃଦ୍ଧି ଘଟିଥିବାବେଳେ ୧୪ ତାରିଖରେ ୨ ହଜାର ଟଙ୍କା ହ୍ରାସ ଘଟିଥିଲା। କିନ୍ତୁ ୧୫ରୁ ୧୭ ତାରିଖ ମଧ୍ୟରେ ରୁପା ଦରରେ ୪ ହଜାର ଟଙ୍କା ବୃଦ୍ଧି ଘଟି ୧ ଲକ୍ଷ ୪ ହଜାର ଟଙ୍କାରେ ରହିଛି। ସୁନା ଓ ରୁପା ଦରବୃଦ୍ଧି ଗ୍ରାହକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।

LEAVE A REPLY

Please enter your comment!
Please enter your name here