ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆଜି ସର୍ବ-ଶକ୍ତିଶାଳୀ ଦେଶ ଆମେରିକା ଉପରେ ସମଗ୍ର ବିଶ୍ବର ନଜର ରହିବ । ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ନବ-ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ ଦ୍ବିତୀୟ ଥର ପାଇଁ ହ୍ବାଇଟ ହାଉସରେ ପ୍ରବେଶ କରିବେ ଟ୍ରମ୍ପ । ଏନେଇ ବିଶାଳ ଆୟୋଜନ କରାଯାଇଛି । ସାରା ବିଶ୍ବରୁ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଏହି ସମାରୋହରେ ସାମିଲ ହେବାକୁ ନିମନ୍ତ୍ରିତ ହୋଇଛନ୍ତି । ଆମେରିକୀୟ ସାମ୍ବିଧାନିକ ପରମ୍ପରା ଅନୁସାରେ, ରାଜଧାନୀ ଓ୍ବାଶିଂଟନ-ଡିସିରେ ଥିବା କ୍ୟାପିଟାଲ୍ ବିଲ୍ଡିଂ ସାମ୍ନାରେ ଏହି ଶପଥ ସମାରୋହ ହୋଇଥାଏ । ମାତ୍ର ଚଳିତଥର ଏଥିରେ ସାମାନ୍ୟ ବ୍ୟତିକ୍ରମ ଦେଖିବାକୁ ମିଳିବ । ତୁଷାରଝଡ ଜନିତ ପ୍ରତିକୂଳ ପାଗ କାରଣରୁ ବାହାରେ ନୁହେଁ ବରଂ କ୍ୟାପିଟାଲ ବିଲ୍ଡିଂ ଭିତରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି । ପ୍ରାୟ ୪୦ ବର୍ଷ ପରେ ଆମେରିକା ରାଜନୀତି ଇତିହାସରେ ଏପରି ବ୍ୟତିକ୍ରମ ଦେଖିବାକୁ ମିଳିବ ।
ସୂଚନା ପ୍ରକାରେ,ଭାରତୀୟ ସମୟ ପ୍ରାୟ ରାତି ସାଢେ ୧୦ଟାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ‘ବାଇବେଲ’ ଛୁଇଁ ଟ୍ରମ୍ପ ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇଁ ଶପଥ ପାଠ କରିବା ପରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମକୁ ଜାତୀୟ ଗଣମାଧ୍ୟମ ଜରିଆରେ ପ୍ରସାରିତ କରାଯିବ । ଏଥିରେ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ, ରାଷ୍ଟ୍ରଦୂତ, ବିଶିଷ୍ଟ ଶିଳ୍ପପତି, ବ୍ୟବସାୟୀ, ସେଲିବ୍ରିଟିଙ୍କୁ ନିମନ୍ତ୍ରଣ କରାଯାଇଛି । କାର୍ଯ୍ୟକ୍ରମରେ ବିଦାୟୀ ରାଷ୍ଟ୍ରପତି ଜୋ.ବାଇଡେନ ମଧ୍ୟ ଉପସ୍ଥିତ ରହିବେ । ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର କରିବେ ବୋଲି ପୂର୍ବରୁ ବାଇଡେନ ସ୍ପଷ୍ଟ କରିସାରିଛନ୍ତି । କାର୍ଯ୍ୟକ୍ରମ ଶେଷରେ ଟ୍ରମ୍ପଙ୍କ କାରକେଡ ରାଷ୍ଟ୍ରପତି ଭବନ ହ୍ବାଇଟ ହାଉସରେ ପ୍ରବେଶ କରିବ ।