ମହାରାଷ୍ଟ୍ର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ମହାରାଷ୍ଟ୍ରରେ ବଡ଼ ଅଘଟଣ । ନିଆଁ ଲାଗିଥିବା ଗୁଜବରେ ‘ପୁଷ୍ପକ ଏକ୍ସପ୍ରେସ’ରୁ ଭୟରେ ଡେଇଁ ପଡିଥିବା ଯାତ୍ରୀଙ୍କ ଉପରେ ମାଡିଯାଇଛି ‘କର୍ଣ୍ଣାଟକ ଏକ୍ସପ୍ରେସ’ । ଫଳରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ରେଳ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଗତକାଲି ବିଳମ୍ବିତ ଅପରାହ୍ନରେ ଜଲଗାଁଓ ଷ୍ଟେସନ ନିକଟରେ ଏହି ଅଘଟଣ ଘଟିଛି । ଏଥିରେ ଏକାଧିକ ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ମଧ୍ୟ ରହିଛି । ରେଳବାଇ ଓ ପୋଲିସର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି ।
ପ୍ରାଥମିକ ସୂଚନା ଅନୁସାରେ, ଜଲଗାଓଁର ପାଚୋରା ରେଳ ଷ୍ଟେସନ ନିକଟରେ ‘ପୁଷ୍ପକ ଏକ୍ସପ୍ରେସ’ରେ ନିଆଁ ଲାଗିଥିବା ଶୁଣିବାକୁ ମିଳିଥିଲା । ଏହି ଖବର ପ୍ରସାରିତ ହେବା ମାତ୍ରେ ଯାତ୍ରୀମାନେ ଭୟଭୀତ ହୋଇ ଟ୍ରେନର ଚେନ୍ ପୁଲିଂ ଟ୍ରେନରୁ ଡେଇଁ ପଡିଥିଲେ । ସେହି ସମୟରେ ପାର୍ଶ୍ବବର୍ତ୍ତୀ ଟ୍ରାକରେ ବିପରୀତ ଦିଗରୁ ଆସୁଥିବା ‘କର୍ଣ୍ଣାଟକ ଏକ୍ସପ୍ରେସ’ ସେମାନଙ୍କ ଉପରେ ମାଡିଯାଇଥିଲା । ଘଟଣାସ୍ଥଳରେ ରେଳବାଇ କର୍ମଚାରୀ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ କରିଛନ୍ତି । ଏବେ ସୁଦ୍ଧା ୧୩ଜଣଙ୍କର ମୃତ୍ୟୁ ହୋଇଥିବା ରେଳ ବିଭାଗ ଅଧିକାରୀ ସ୍ପଷ୍ଟ କରିଛନ୍ତି । ମୃତକଙ୍କ ମଧ୍ୟରେ ନେପାଳର ନାଗରିକ ମଧ୍ୟ ଅଛନ୍ତି ।