ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଉତ୍କର୍ଷ ଓଡିଶା-ମେକ୍ ଇନ୍ ଓଡିଶା କନକ୍ଲେଭ୍-୨୦୨୫ ଆସନ୍ତା ୨୮-୨୯ରେ ଅନୁଷ୍ଠିତ ହେବ। ଏହି ବିଶାଳ ବ୍ୟବସାୟିକ ସମାରୋହ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ସ୍ଥାନୀୟ ଜନତା ମଇଦାନରେ ଏହାର ପ୍ରସ୍ତୁତି ସଂପର୍କିତ ଅନୁଧ୍ୟାନ କରିଛନ୍ତି। ପ୍ରସ୍ତୁତିସ୍ଥଳ ବୁଲିଲା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମର ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଏହି କାର୍ଯ୍ୟକ୍ରମ ସବୁ ଦୃଷ୍ଟିକୋଣରୁ ଐତିହାସିକ ହେବ। ରାଜ୍ୟ ପାଇଁ ଏକ ସୁଦୃଢ ଅର୍ଥନୈତିକ ଓ ଶିଳ୍ପ ଭିତ୍ତିଭୂମି ପ୍ରସ୍ତୁତ କରିବାରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ରାଜ୍ୟଗୁଡ଼ିକ ମଧ୍ୟରେ ଶ୍ରେଷ୍ଠ ୫ଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବାର ଆମର ଯେଉଁ ଲକ୍ଷ୍ୟ ଅଛି, ତାହା ନିଶ୍ଟୟ ପୂରଣ ହେବ। ଏହାସହିତ ଶ୍ରମିକ, କୃଷକମାନଙ୍କ ପରି ସାଧାରଣ ଲୋକଙ୍କ ପାଇଁ ମଧ୍ୟ ବିପୁଳ ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଏହି ଇନଭେଷ୍ଟର୍ସ ମିଟ୍ ରେ ୫ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି ଏବଂ ଏହାଦ୍ୱାରା ୩.୫ ଲକ୍ଷରୁ ଅଧିକ ନିଯୁକ୍ତି ସମ୍ଭାବନା ମଧ୍ୟ ସୃଷ୍ଟି ହେବ। ୧୦୦ଟି ଅଧିକ ନିବେଶକ ଏମଓୟୁ କରିବାର କାର୍ୟ୍ୟକ୍ରମ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଜାନୁଆରି ୨୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଉଦ୍ଘାଟନ କରିବେ। ଗତ ୭ ମାସ ମଧ୍ୟରେ ଓଡିଶାକୁ ଏହା ତାଙ୍କର ପଞ୍ଚମ ଗସ୍ତ ହେବ। ଓଡ଼ିଶାରେ ପୁଞ୍ଜିନିବେଶ ପ୍ରତି ତାଙ୍କର ସ୍ୱତନ୍ତ୍ର ଧ୍ୟାନ ରହିଛି ଏବଂ ଓଡିଶା ଏକ ବିପୁଳ ସମ୍ଭାବନାର ରାଜ୍ୟ ଭାବେ ଅଗ୍ରସର ହେଉଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ୍ ଏବଂ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ମେକ୍ ଇନ୍ ଓଡ଼ିଶା ୱେବସାଇଟରେ ୭୫୦୦ରୁ ଅଧିକ ଡେଲିଗେଟ ପଞ୍ଜୀକରଣ କରିଛନ୍ତି। ଏଥିରେ ୨୦ଟିରୁ ଅଧିକ ଦେଶର ୧୦୦ରୁ ଅଧିକ ଆନ୍ତର୍ଜାତିକ ଡେଲିଗେଟ୍ ଅଛନ୍ତି। ସିଙ୍ଗାପୁର, ଅଷ୍ଟ୍ରେଲିଆ ଓ ମାଲେସିଆ ପରି ଆମର ପାର୍ଟନର ଦେଶ ମାନଙ୍କରୁ ଅଧିକ ଡେଲିଗେଟ୍ ଆସିବାର ସମ୍ଭାବନା ଅଛି।
ଏହି ଅବସରରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।