ନୂଆଦିଲ୍ଲୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ । ଗଣତନ୍ତ୍ରର ଏହି ମହାପର୍ବରେ ଦେଶର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ନିଜ ସାମ୍ବିଧାନିକ ମତାଧିକାର ସାବ୍ୟସ୍ତ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଓଡ଼ିଆ ଝିଅ । ଯିଏକି ଦେଶର ପ୍ରଥମ ନାଗରିକ ଭାବେ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଅଳଙ୍କୃତ କରି ରାଜ୍ୟକୁ ଗୌରବାନ୍ବିତ କରିଛନ୍ତି । କେବଳ ଚଳିତ ଦିଲ୍ଲୀ ବିଧାନସଭା ନିର୍ବାଚନ ନୁହେଁ, ଗତ ଲୋକସଭା ନିର୍ବାଚନରେ ମଧ୍ୟ ରାଷ୍ଟ୍ରପତି ଦିଲ୍ଲୀରେ ନିଜ ମତ ସାବ୍ୟସ୍ତ କରିଥିଲେ । କହିରଖୁଛୁ, ଓଡ଼ିଶାର ମୂଳବାସିନ୍ଦା ଦ୍ରୌପଦୀ ମୁର୍ମୁ ୨୫ ଜୁଲାଇ ୨୦୨୨ରେ ଦେଶର ରାଷ୍ଟ୍ରପତି ପଦ ଅଳଙ୍କୃତ କରିଥିଲେ । ଏହାପରେ ତାଙ୍କର ଭୋଟ ପରିଚୟ ପତ୍ର ମଧ୍ୟ ନିର୍ବାଚନ ଆୟୋଗଙ୍କ ଦ୍ବାରା ଅପଡେଟ୍ କରାଯାଇଥିଲା । ସେ ଦିଲ୍ଲୀ ଭୋଟର ଭାବେ ପୁନଃପଞ୍ଜିକୃତ ହୋଇଥିଲେ । ପୂର୍ବରୁ ତାଙ୍କ ପରିଚୟପତ୍ରରେ ଠିକଣାରେ ଓଡ଼ିଶା ଉଲ୍ଲେଖ ରହିଥିଲା ।
ତେବେ ସର୍ବବୃହତ୍ତ ଗାଣତାନ୍ତ୍ରିକ ରାଷ୍ଟ୍ରର ପ୍ରଥମ ନାଗରିକ ହୋଇଥିବା କାରଣରୁ ସର୍ବାଧିକ କ୍ଷମତା ଉପଭୋଗ କରନ୍ତି ରାଷ୍ଟ୍ରପତି । ତାଙ୍କୁ ଅନ୍ୟ କୌଣସି ନିର୍ବାଚିତ ଜନପ୍ରତିନିଧିଙ୍କ ପରି ପଞ୍ଜୀକୃତ ଅଞ୍ଚଳର ଭୋଟ କେନ୍ଦ୍ରକୁ ଯିବାକୁ ପଡେନାହିଁ । ରାଷ୍ଟ୍ରପତି ଭବନ ପରିସରରେ ଥିବା ଡ.ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟରେ ସ୍ବତନ୍ତ୍ର ପୁଲିଂ ବୁଥ ପ୍ରତିଷ୍ଠା କରନ୍ତି ନିର୍ବାଚନ ଆୟୋଗ । ସେଠାରେ ରାଷ୍ଟ୍ରପତି ଓ ରାଷ୍ଟ୍ରପତି ଭବନର ବରିଷ୍ଠ କାର୍ଯ୍ୟକର୍ତ୍ତା ମତଦାନ କରିଥାଆନ୍ତି ।