ମାଲକାନଗିରି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):-:ମାଲକାନଗିରି ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଜୟପୁର ବାସଭବନରୁ ପାଖାପାଖି ୨ କୋଟିର ନଗଦ ଟଙ୍କା ଦେଖି ଭିଜିଲାନ୍ସ ତାଜୁବ ହୋଇଛି । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ରେଡରୁ କେବଳ ବିପୁଳ କ୍ୟାସ୍ ନୁହେଁ, ଆଲିସାନ୍ ବଙ୍ଗଳା ସହ ବଡ଼ ସହରରେ ବହୁ ଦାମୀ ପ୍ଲଟ୍ ଠାବ କରିଛନ୍ତି ଭିଜିଲାନ୍ସ ଅଧିକାରୀ । ଆକଳନ ସରି ନଥିବାରୁ ସଂପତ୍ତିର ତାଲିକା ଆହୁରି ଲମ୍ବିବାର ବି ସମ୍ଭାବନା ରହିଛି ।ମାଲକାନଗିରି ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାମ କରନ୍ତି , ଜଳସମ୍ପଦ ବିଭାଗର ପ୍ରୋଜେକ୍ଟ ଡିରେକ୍ଟର ଶାନ୍ତନୁ ମହପାତ୍ର । ରାଜ୍ୟର ଅନ୍ୟତମ ପଛୁଆ ଜିଲ୍ଲା ମାଲକାନଗିରିରେ ଚାକିରି କରୁଛନ୍ତି ଏହି ବାବୁ । କିନ୍ତୁ କୋରାପୁଟ ଜୟପୁର ପାୱାର ହାଉସ୍ କଲୋନି ସ୍ଥିତ ଆଲିସାନ୍ ବଙ୍ଗଳାରେ ଟଙ୍କା-ସୁନା ଓ ସୌଖୀନ ସାମଗ୍ରୀର ଯେମିତି ଭଣ୍ଡାର ଥିଲା । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ଏକକାଳିନ ୭ଟି ସ୍ଥାନରେ ରେଡରୁ କେବଳ ଶାନ୍ତନୁଙ୍କ ଏ ବାସଭବନରୁ ମିଳିଥିଲା ୬ଟି ଟଙ୍କାଭର୍ତ୍ତି ବ୍ୟାଗ୍ ସହ ବିପୁଳ ସୁନାଗହଣା । ବ୍ୟାଙ୍କଖାତା ଓ ଇନସ୍ୟୁରାନ୍ସ ସମେତ କାଗଜପତ୍ର ଘଣ୍ଟାଘଣ୍ଟିରୁ ଠାବ ହୋଇଥିଲା ଅଚଳାଚଳ ସଂପତ୍ତିର ସୁରାକ୍ ।