(ବିପ୍ଲବୀ ପରିକ୍ରମା ):- ଆସିଲା ବୁଥ ବାହୁଡା ଫଳାଫଳ । ପାଞ୍ଚ ରାଜ୍ୟରେ ନିର୍ବାଚନ ଶେଷ ହେବା ପରେ ଏକଜିଟ ପୋଲ ଆକଳନ ସାମ୍ନାକୁ ଆସିଛି। ବିଭିନ୍ନ ସଂସ୍ଥା ଦ୍ୱାରା କରାଯାଇଥିବା ଏହି ବୁଥ ବାହୁଡା ଆକଳନ ଅନୁସାରେ ରାଜସ୍ଥାନରେ କ୍ଷମତା ହରାଇ ପାରନ୍ତି ଅଶୋକ ଗେହଲଟ । ୫ବର୍ଷର ବ୍ୟବଧାନ ପରେ କ୍ଷମତାକୁ ଫେରିପାରେ ଭାଜପା ବୋଲି ଆକଳନ କରାଯାଇଛି । ରାଜସ୍ଥାନରେ କଂଗ୍ରେସ ସରକାର ଥିଲେ ସେଠାରେ ଧସେଇ ପଶିବ ବିଜେପି । ଗତ ତିନି ଦଶନ୍ଧି ଧରି ରାଜ୍ୟରେ ଜାରି ରହିଥିବା ଟ୍ରେଣ୍ଡକୁ ଭାଙ୍ଗିବାରେ କଂଗ୍ରେସ ସରକାର ବିଫଳ ହୋଇଥିବା ଆକଳନ କରାଯାଉଛି। କାରଣ ଏଠାରେ ଗତ ୩୦ ବର୍ଷ ମଧ୍ୟରେ ଶାସନରେ ଥିବା ଦଳ ପୁନର୍ବାର କ୍ଷମତାକୁ ଫେରି ନାହିଁ। ଅନେକ ସଂସ୍ଥା ଏହି ଆକଳନ କରିଥିବାବେଳେ ‘ଜନ କି ବାତ’ ର ଆକଳନ ଅନୁସାରେ ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ ଭାଜପା ୧୦୦ରୁ ୧୨୨ ଆସନରେ ବିଜୟ ଲାଭ କରିବ ଏବଂ କଂଗ୍ରେସକୁ ୬୨ରୁ ୮୫ ଆସନ ମିଳିପାରେ। ସେହିଭଳି ଟାଇମ୍ସ ନାଓ-ଇଟିଜି ଆକଳନ ଅନୁଯାୟୀ ଭାଜପାକୁ ୧୦୮ରୁ ୧୨୮ ଆସନ ମିଳିବାକୁ ଥିବା ବେଳେ କଂଗ୍ରେସକୁ ୫୬ରୀ ୭୨ ଆସନ ମିଳିପାରେ। ସେହିପରି ଟିଭି ନାଇନ ଭାରତବର୍ଷ ଅନୁଯାୟୀ ରାଜ୍ୟରେ ଭାଜପାକୁ ୧୦୦ରୁ ୧୧୦ ଏବଂ କଂଗ୍ରେସକୁ ୯୦ରୁ ୧୦୦ ଆସନ ମିଳିବାର ସମ୍ଭାବନା ରହିଛି। ତେବେ ଅପେକ୍ଷା ରହିବ ଆସନ୍ତା ଡିସେମ୍ବର ୩ ତାରିଖକୁ ,ଭୋଟ ଗଣନା ପରେ ହିଁ ଜଣାପଡିବ ପ୍ରକୃତରେ କିଏ ଗଡ଼ୁଛି ରାଜସ୍ଥାନରେ ସରକାର ?