ମଧ୍ୟପ୍ରଦେଶ ( ବିପ୍ଲବୀ ପରିକ୍ରମା ):- ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଏବେ ଏକଜିଟ ପୋଲ ଫଳାଫଳ ମଧ୍ୟ ଆସିଯାଇଛି । ତେବେ ଆକଳନ ଅନୁସାରେ ମଧ୍ୟପ୍ରଦେଶ, ଛତିଶଗଡ଼ରେ ଭାଜପା-କଂଗ୍ରେସ ମଧ୍ୟରେ ଦେଖିବାକୁ ମିଳିବ କଡା ଟକ୍କର । ବିଭିନ୍ନ ସଂସ୍ଥାର ଆକଳନ ଅନୁଯାୟୀ ଛତିଶଗଡ଼ରେ ଭାଜପା ଏବଂ କଂଗ୍ରେସ ମଧ୍ୟରେ ସରକାର ଗଠନ ପାଇଁ ଟାଇଟ ଫାଇଟ ହେବାର ଆକଳନ କରାଯାଉଛି। ଇଣ୍ଡିଆ ଟୁଡ଼େ ଆକ୍ସିସ ମାଇଁ ଇଣ୍ଡିଆ ଆକଳନ ଅନୁଯାୟୀ ଛତିଶଗଡ଼ରେ କଂଗ୍ରେସକୁ ୪୦ରୁ ୫୦ ସିଟ୍ ମିଳୁଥିବାବେଳେ ଭାଜପାକୁ ୩୬ରୁ ୪୬ ଆସନ ଏବଂ ଅନ୍ୟାନ୍ୟଙ୍କୁ ୧ରୁ ୫ ଆସନ ମିଳିପାରେ ବୋଲି କୁହାଯାଇଛି। ସେହିପରି ଏବିପି ନ୍ୟୁଜ-ସି ଭୋଟର ଆକଳନ ଅନୁଯାୟୀ ଭାଜପାକୁ ୩୬ରୁ ୪୮ ଏବଂ କଂଗ୍ରେସକୁ ୪୧ରୁ ୫୩ ଆସନ ମିଳିବ। ଇଣ୍ଡିଆ ଟିଭି-ସିଏନଏକ୍ସ ଆକଳନ ଅନୁଯାୟୀ ଭାଜପାକୁ ୩୦ରୁ ୪୦ ଏବଂ କଂଗ୍ରେସକୁ ୪୬ରୁ ୫୬ ଆସନରେ ବିଜୟ ମିଳିବ। ଚଳିତ ନିର୍ବାଚନରେ ମଧ୍ୟପ୍ରଦେଶରେ ସରକାର ଗଠନ କରିବା ପାଇଁ ଭାଜପା-କଂଗ୍ରେସ ମଧ୍ୟରେ ଏଥର ସିଧାସଳଖ ମୁକାବିଲା ହୋଇଥିଲା। ଯାହାର ଫଳାଫଳ ଏବେ ଏକଜିଟ ପୋଲରେ ମଧ୍ୟ ଦେଖିବାକୁ ମିଳିଛି। ବିଭିନ ସଂସ୍ଥାର ଆକଳନ ଅନୁଯାୟୀ ମଧ୍ୟପ୍ରଦେଶରେ ରାଜ୍ୟରେ ସରକାର ଗଠନ ପାଇଁ ଲଢେଇ ଜୋରଦାର ହେବ। ରିପବ୍ଲିକ ଟିଭି ଆକଳନ ଅନୁଯାୟୀ ଭାଜପାକୁ ୧୦୦ରୁ ୧୨୩ ଆସନ ମିଳିବାକୁ ଥିବା ବେଳେ କଂଗ୍ରେସକୁ ୧୦୨ରୁ ୧୨୫ ଆସନ ମିଳିବ ବୋଲି ଆକଳନ କରାଯାଇଛି। ସେହିଭଳି ‘ଜନ କି ବାତ’ ଅନୁଯାୟୀ ରାଜ୍ୟରେ ଭାଜପାକୁ ୧୦୦ରୁ ୧୨୩ ଆସନ ମିଳିବାକୁ ଥିବା ବେଳେ କଂଗ୍ରେସକୁ ୧୦୨ରୁ ୧୨୫ ଆସନ ମିଳିବାର ଆକଳନ କରାଯାଇଛି। ତେବେ ବର୍ତମାନ ଏକଜିଟ ପୋଲ ଫଳାଫଳ ଆସିଯାଇଥିବାବେଳେ ସମସ୍ତଙ୍କର ନଜର ରହିଛି ନିର୍ବାଚନ ଗଣତିକୁ l