ପାଣି ପାଇଁ ପାରଳାଖେମୁଣ୍ଡି ସେରଙ୍ଗ ମୁଖ୍ୟ ରାସ୍ତା ଅବରୋଧ;ଗ୍ରୀଷ୍ମ ଆରମ୍ଭ ପୂର୍ବରୁ ପାଣି ସମସ୍ୟା

0

ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ସରକାର ଘରେ ଘରେ ପାଇପ୍‌ ଦ୍ୱାରା ପାନୀୟ ଜଳ ଯୋଗାଇ ଦେବା ପାଇଁ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା କରିଛନ୍ତି। ହେଲେ ଦୀପ ତଳ ଅନ୍ଧାର ଭଳି ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଗୁମ୍ମା ପଞ୍ଚାୟତ ଅଧିନସ୍ତ ବ୍ଲକ କାର୍ଯ୍ୟାଳୟର ଅତି ନିକଟରେ ଥିବା କୃଷ୍ଣଚନ୍ଦ୍ର ପୁର ଗ୍ରାମରେ।

ମାସ ମାସ ହେଲା ପାଇପ୍‌ଯୋଗେ ପାନୀୟଜଳ ଯୋଗାଣରେ ସମସ୍ୟା ଯୋଗୁଁ ଗ୍ରାମବାସୀ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ସ୍ତରରେ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ କୃଷ୍ଣଚନ୍ଦ୍ର ପୁର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ପାରଳାଖେମୁଣ୍ଡି ସେରଙ୍ଗ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ଲୋକେ ଗରାମାଠିଆ ଧରି ରାସ୍ତାରେ ବସି ରହିବାରୁ ତିନି ଘଣ୍ଟା ଧରି ଗାଡ଼ିମୋଟର ଚଳାଚଳ ଠପ୍‌ ହୋଇଯାଇଥିଲା।ରାସ୍ତାର ଉଭୟ ପାର୍ଶ୍ଵରେ ଗାଡ଼ି ଅଟକି ରହିଥିଲା ଯାହାଫଳରେ ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା।ବସୁଧା ଯୋଜନାରେ ପାନୀୟଜଳ ପ୍ରକଳ୍ପ ନିର୍ମାଣ କରାଯାଇ ଗ୍ରାମରେ ଦୁଇଟି ପାଣି ଟେଙ୍କ ଦ୍ଵାରା ପାଇପ୍‌ ଯୋଗେ ପାନୀୟଜଳ ଯୋଗାଣ କରାଯାଉଛି।କିନ୍ତୁ କିଛି ମାସ ହେଲା ଜଳ ଯୋଗାଣ ସଠିକ୍‌ ଭାବେ ହେଉନାହିଁ।କେଉଁଦିନ ଅଳ୍ପ ସମୟ ପାଇଁ ପାଣି ଆସୁଛି ତ ଆଉ କେଉଁଦିନ ଆଦୌ ପାଣି ଆସୁନାହିଁ।ଯାହାଦ୍ୱାରା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଗ୍ରାମବାସୀ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ତୁରନ୍ତ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ ସମସ୍ୟାର ସମାଧାନ ନହେବାରୁ ମଙ୍ଗଳବାର ସକାଳେ ରାସ୍ତା ଅବରୋଧ କରିଥିଲେ।

ସେରଙ୍ଗ ଥାନା ଅଧିକାରୀଣୀ ନଳିନୀ କୁମାରୀ କହଁର ଓ କନିଷ୍ଠ ଯନ୍ତ୍ରୀ ହୃଷିକେଶ ମାରାଣ୍ଡି ଗ୍ରାମବାସୀଙ୍କ ସହ କଥାବାର୍ତ୍ତା ହୋଇ ପାନୀୟଜଳ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ‌ ରାସ୍ତା ଅବରୋଧ ହଟିଥିଲା। ସମସ୍ୟାର ସମାଧାନ ନହେଲେ ପୁଣି ରାସ୍ତା ଅବରୋଧ କରାଯିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here