ଏଣିକି ଜିରୋ FIR : ନରଖିଲେ ହେବ ନିଲମ୍ବନ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ରାଜ୍ୟରେ ଏଣିକି ଜିରୋ ଏଫଆଇଆର । ଅପରାଧ କେଉଁଠି ବି ଘଟୁ ଆପଣ ସବୁ ଥାନାରେ କରିପାରିବେ ଅଭିଯୋଗ । ଏଭଳି ବଡ଼ ସୂଚନା ଦେବା ସହ ପୋଲିସ ବାବୁଙ୍କୁ ମଧ୍ୟ ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଏଣିକି FIR ନ ରଖିଲେ ଆଇଆଇସି ହେବେ ସସ୍‌ପେଣ୍ଡ । ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କର । FIR ରଖିବା ସହ ଘଟଣା ସମ୍ପର୍କରେ ଆଲୋଚନା ନକଲେ ସଂପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ବୋଲି କଡ଼ା ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ରାଜ୍ୟରେ ୧୪ଟି ଥାନାର ନୂତନ କୋଠା ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ତାଗିଦ କରିବା ସହ ପୋଲିସ ଡିଜିଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ବିଧାୟକ ସମୟରେ ତାଙ୍କୁ କେମିତି ପୋଲିସ ହଇରାଣ କରିଥିଲା ସେନେଇ ନିଜ ଅନୁଭୂତି ବଖାଣିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ବିଧାୟକ ଥିବା ବେଳେ ୨୦୧୯ରେ ମୋତେ କେନ୍ଦୁଝର ଆଇଆଇସି ଦୁର୍ବ୍ୟବହାର କରିଥିଲେ । ଗେଟ୍‌ ଆଉଟ ବୋଲି କହିଥିଲେ । ତେଣୁ ପୋଲିସ ବ୍ୟବହାର ପରିବର୍ତ୍ତନ କରୁ ଏବଂ ସାଧାରଣ ଲୋକଙ୍କୁ ସେବା ଯୋଗାଇଦେଉ ବୋଲି ମୋହନ ମାଝୀ କହିଛନ୍ତି ।

ନୟାପଲ୍ଲୀ ଥାନା ପରିସରରୁ ଭିଡିଓ କନଫରେନ୍ସ ମାଧ୍ୟମରେ ରାଜ୍ୟର ଅନ୍ୟ ୧୩ ଟି ଥାନା ନୂତନ ଗୃହ ଉଦଘାଟନ କରିଛନ୍ତି । ଏହା ମଧ୍ୟରେ ରହିଛି ଅନୁଗୋଳ ଜିଲ୍ଲାର ସଦର ଥାନା, ସମଲ ଥାନା, ବରଗଡ଼ର ଭେଡେନ, କଳାହାଣ୍ଡି ଟାଉନ ଥାନା, କୋରାପୁଟ ଜିଲ୍ଲା ଜୟପୁର ଟାଉନ ଥାନା, ସୁଙ୍କି ଥାନା, ମାଲକାନଗିରିର କୋରକୁଣ୍ଡା, କନ୍ଧମାଳ ଫିରିଙ୍ଗିଆ, କଟକର CRRI, ମଙ୍ଗଳାବାଗ, ଜଗତସିଂହପୁର ପାରାଦ୍ବୀପ ବ୍ଲକ ଥାନା, ଯାଜପୁରର ଧର୍ମଶାଳା ଓ କୋରେଇ ଥାନା ଗୃହ ଗୁଡ଼ିକୁ ଆଭାସି ମାଧ୍ୟମରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । “ମୁଖ୍ୟମନ୍ତ୍ରୀ ପରାମର୍ଶ ଅନୁଯାୟୀ, ପୋଲିସ ସଦା ସର୍ବସର୍ବଦା କାମ କରିବ । ଏହାସହ ପୋଲିସର କାର୍ଯ୍ୟକୁ ଆହୁରି ତ୍ଵରାନିତ୍ଵ କରିବା ପାଇଁ ସରକାର ୫୭୯ ଥାନାକୁ ଗୋଟିଏ ଲେଖାଏଁ ସ୍କର୍ପିଓ ଗାଡି ସହ ୨ ଜଣ ଡ୍ରାଇଭର ଦିଆଯାଇଛି ।

ଏହି ସୁବିଧା ଅନେକ ଷ୍ଟେସନରେ ପହଞ୍ଚିଥିବାବେଳେ ମାର୍ଚ୍ଚ ଶେଷ ସୁଦ୍ଧା ସବୁ ଥାନାରେ ପହଞ୍ଚିଯିବ । ସବୁ ପୋଲିସ ଷ୍ଟେସନକୁ ୬ ଟି ମୋଟରସାଇକେଲ, ତଦନ୍ତକାରୀ ଅଧିକାରୀଙ୍କୁ ସ୍ମାର୍ଟ ଫୋନ, ଲାପଟପ ବି ସରକାର ମାର୍ଚ୍ଚ ଶେଷ ସୁଦ୍ଧା ଯୋଗାଇଦେବେ” ବୋଲି କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ ।

LEAVE A REPLY

Please enter your comment!
Please enter your name here