ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବ୍ରହ୍ମପୁର ସହରରେ ଦିନକୁ ଦିନ ଆତଙ୍କ ରାଜ ବଢ଼ିବାରେ ଚାଲିଛି ଅପରାଧୀଙ୍କ ଅପରାଧ ମାମଲା ଥମିବାର ନାଁ ନେଉନଥିବା ବେଳେ ଅପରାଧିକ ମାମଲା ବଢ଼ିବାରେ ଲାଗିଛି l ତେବେ ପୁଣି ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି,ସାଇଡ ନ ଦେବାରୁ କାର ଚାଳକକୁ ଆକ୍ରମଣ କରିବା ଓ ତାଙ୍କ କାରକୁ ଭଙ୍ଗାରୁଜା କରିବା ଭଳି ଅଭିଯୋଗ ହୋଇଛି ବ୍ରହ୍ମପୁର ସହର ରେ l ତେବେ ଏହି ଅଭିଯୋଗରେ ଟାଉନ ଥାନା ପୁଲିସ ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଦୁଇଜଣ ହେଲେ ବ୍ରହ୍ମପୁର, ଧର୍ମନଗର ୫ମ ଲାଇନର ଗଣେଷ ଦାସ(୨୧) ଓ ଏ. ରବି ରେଡ୍ଡି(୨୦) । ପୁଲିସ କ୍ଷତିଗ୍ରସ୍ତ ହୋଇଥିବା କାର ସମେତ ଅଭିଯୁକ୍ତଙ୍କ ବାଇକକୁ ମଧ୍ୟ ଜବତ କରିଛି ।
ସୂଚନାଯୋଗ୍ୟ ଯେ, ଶନିବାର ରାତି ସାଢେ ୮ଟା ବେଳେ ଗୋଷାଣୀ ନୂଆଗାଁ ଗୁଣ୍ଡିଚାନଗରର ପ୍ରଦୀପ କୁମାର ଚୌଧୁରୀ ନିଜ କାର ଯୋଗେ ଗୋଲିଲା ଷ୍ଟ୍ରିଟ୍ ଦେଇ ଯାଉଥିଲେ ା ଏହି ସମୟରେ ଉପରୋକ୍ତ ୨ ଅଭିଯୁକ୍ତ ସେହି ରାସ୍ତାରେ ତାଙ୍କ ପଛପଟୁ ଏକ ବାଇକରେ ଆସି ଓଭରଟେକ କରିବାକୁ ସାଇଡ ମାଗିଥିଲେ । ହେଲେ ସେହି ରାସ୍ତାଟି ସଂକୀର୍ଣ୍ଣ ବା ଅଣଓସାରିଆ ହୋଇଥିବାରୁ ପ୍ରଦୀପ ନିଜ କାରକୁ ସାଇଡ କରିପାରିନଥିଲେ କିମ୍ବା ବାଇକକୁ ଆଗକୁ ଯିବାକୁ ଦେଇନଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଉପରୋକ୍ତ ୨ ଅଭିଯୁକ୍ତ ଅଭିଯୋଗ ପ୍ରଦୀପଙ୍କ କାର ସମ୍ମୁଖକୁ ହଠାତ ବାଇକ ଆଣି ଅଟକାଇବା ସହ ତାଙ୍କୁ ଗାଳିଗୁଲଜ କରିଥିଲେ । ପ୍ରଦୀପ ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ତାଙ୍କୁ ମୁଥ ମାରିବା ସହ ଆକ୍ରମଣ କରିଥିଲେ,ଏପରିକି ଅଭିଯୁକ୍ତମାନେ କାରର ପଛ ପଟ କାଚକୁ ପଥରରେ ଛେଚି ଭାଙ୍ଗି ଦେଇଥିଲେ । ଆକ୍ରମଣରେ ଆହତ ପ୍ରଦୀପ ସହର ସ୍ଥିତ ସିଟି ମେଡ଼ିକାଲରେ ଚିକିତ୍ସିତ ହେବା ପରେ ଟାଉନ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ଉପରୋକ୍ତ ଦୁଇ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି।