ଗଜପତି, ( ବିପ୍ଲବୀ ପରିକ୍ରମା ଡିଜିଟାଲ ) :- ଗଜପତି ଜିଲ୍ଲା ସଦରମହକୁମା ଠାରୁ ମୋହନାକୁ ଯୋଗାଯୋଗ କରୁଥିବା ମୁଖ୍ୟ ରାସ୍ତାର ମାଛମରା ନିକଟରେ ମହେନ୍ଦ୍ରତନୟା ନଦୀ ଉପରେ ରହିଛି ଏକ ବହୁ ପୁରାତନ ପୋଲ ଯାହା ଧିରେ ଧିରେ ନଷ୍ଟ ହେବାକୁ ବସିଲାଣି । ଇତିମଧ୍ୟରେ ରାଜ୍ୟ ସଡକ ରୁ ଜାତୀୟ ରାଜପଥ ୩୨୬(ଏ) ରେ ପରିଣତ କରିଛି ଜାତୀୟ ରାଜପଥ ବିଭାଗ। ଏହା ପରେ ସୁଦ୍ଧା ଉକ୍ତ ପୋଲ ଅଣ ଓସାରିଆ ପୁଣି ବିପଦ ସଙ୍କୁଳ ହୋଇ ରହିଛି। ଆସନ୍ତୁ ଦେଖିବା ଗଜପତିରୁ ଏହି ରିପୋର୍ଟ….
ଦିର୍ଘ ବର୍ଷ ପରେ ଜାତୀୟ ରାଜପଥ ଘୋଷଣା ହେବା ପରେ ମଧ୍ୟ ସେଭଳି ଆଖିଦୃଶିଆ ରାସ୍ତା ପ୍ରଶସ୍ତିକରଣ ହୋଇନଥିବା ସହ ଅଣ ଓସାରିଆ ପୋଲକୁ ନିର୍ମାଣ କରିବା ଭୁଲିଯାଇଛି ବିଭାଗ । ଏହି ବହୁ ପୁରାତନ ଶତାୟୁ ପୋଲ ଉପରେ ପ୍ରତିଦିନ ହଜାର ହଜାର ଯାନବାହାନ ଜିବା ଆସିବା କରୁଛି, ଶହ ଶହ ଭାରିଯାନ ମଧ୍ୟ ଯାତାୟତ କରୁଛି କିନ୍ତୁ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଅଣ ଓସାରିଆ ପୋଲ ଉପରେ କାହାର ବି ନଜର ପଡୁନି l
ପୁର୍ବରୁ ତିତିଲି ମହାବାତ୍ୟା ସମୟରେ ନଦୀରେ ବନ୍ୟା ଆସିବା ଫଳରେ ପୋଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ ତାର ମରାମତି ନିମନ୍ତେ ଚିନ୍ତା କରିଥିଲା ପ୍ରଶାସନ, ପରବର୍ତ୍ତୀ ସମୟରେ ଭୁଲିଗଲା ପ୍ରଶାସନ ଓ ଜାତିୟ ରାଜପଥ ବିଭାଗ । ଏବେ ତାହା ଅତ୍ୟନ୍ତ ଦୟନୀୟ ଅବସ୍ଥାକୁ ଗଲାଣି , ସ୍ଥାନେ ସ୍ଥାନେ ସିମେଣ୍ଟ ଛାଡି ଲୁହାଛଡ ଦେଖାଯାଉଥିବା ବେଳେ ଭାରିଯାନ ଜିବା ସମୟରେ ଥରିଥରି ମେଞ୍ଚା ମେଞ୍ଚା ସିମେଣ୍ଟ ଛାଡୁଛି , ଅନପଟେ ପୋଲ ବଙ୍କା ହୋଇ ଏକାଧିକ ସ୍ଥାନରେ ଫାଟି ଯାଇଛି। ଯାହାକୁ ଦେଖିଲେ ଯେକେହିବି ପୋଲ ବିପଦ ସଙ୍କୁଳ ଅବସ୍ଥାରେ ଥିବା କହି ପାରିବ କିନ୍ତୁ ବିଭାଗିୟ ଅଧିକାରୀଙ୍କ ଏଥିପ୍ରତି ନିଘା ନାହଁ। ସୁଚନା ଥାଉକି ମହେନ୍ଦ୍ରତନୟା ନଦୀ ଉପରେ ମାଛମରା ନିକଟରେ ମହାରାଜାଙ୍କ ଅମଳରେ ପ୍ରଥମେ ୧୮୯୨ ରେ ପୋଲ ନିର୍ମାଣ କରାଯାଇଥିଲା , ପରବର୍ତ୍ତୀ ସମୟରେ ୧୯୧୧ ମସିହାରେ ସରକାର ଏହାର ପୁନରୁଦ୍ଧାର କରିଥିଲେ, ପୁତ୍ତ ବିଭାଗର ତତ୍କାଳୀନ ମନ୍ତ୍ରୀ ବୃନ୍ଦାବନ ନାୟକଙ୍କ ଦ୍ବାରା ଶୁଭ ଉଦ୍ଘାଟନ କରାଯାଇଥିବା ଫଳକରେ ଉଲ୍ଲେଖ ରହିଛି ।
ସେବେ ଠାରୁ ଏବେ ଯାଏଁ ଶହେ ବର୍ଷରୁ ଅଧିକ ସମୟ ବିତିଲାଣି କିନ୍ତୁ କୈଣଶି ସରକାର ସେହି ପୋଲର ମରାମତି କିମ୍ବା ନୁତନ ପୋଲ ନିର୍ମାଣ ପାଇଁ ଚିନ୍ତା କରିନାହାନ୍ତି। ଗ୍ରାମବାସୀଙ୍କ କହିବା ପ୍ରକାରେ ସେମାନେ ବୁଦ୍ଧିଜାଣିବା ଠାରୁ ପୋଲ ମରାମତି ସମ୍ପର୍କରେ କେବେ ଦେଖିନାହାନ୍ତି କି ଜାଣି ନାହାନ୍ତି। ଅନ୍ୟ ପଟେ ଏସମ୍ପର୍କରେ ବିଭାଗିୟ ଅଧିକ୍ଷଣ ଯନ୍ତ୍ରୀ ସ୍ବାଇଁଙ୍କ ସହ ଯୋଗାଯୋଗ କରିବାରୁ ତାଙ୍କର କହିବା ହେଲା ସେ ଏଠାକୁ ଡେପୁଟେସନରେ ଆସିଛନ୍ତି ତେଣୁ ଏସମ୍ପର୍କରେ ତାଙ୍କୁ କିଛି ଜଣାନାହିଁ ।
ତେବେ ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀ ଯଦି ସହର ଉପକଣ୍ଠ ଠାରୁ କିଛି ଦୁରରେଥିବା ପୋଲ ବିଷୟରେ ଜାଣିପାରୁ ନାହାନ୍ତି ତାହାଲେ ବିଭାଗ କିଭଳି ଅବଗତ ହେବ ଆଉ ତଦାରଖ କିଭଳି ହେବ ତାହା ନିଶ୍ଚିତ ଅନୁମେୟ ।