ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଭାଷା ଭିତ୍ତିକ ଓଡ଼ିଶା ପ୍ରଦେଶ ପାଇଁ ଗର୍ବିତ ସମଗ୍ର ଓଡିଆ ଜାତି। ଓଡିଆ ଭାଷା ଭିତ୍ତିରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୂଖ୍ୟ ପୁରୋଧାଙ୍କ ମଧ୍ୟରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଅନ୍ୟତମ । ସେ ସମୟରେ ଦୁଇ ଦୁଇ ଥର ଲଣ୍ଡନର ଗୋଲ ଟେବୁଲ ବୈଠକରେ ଯୋଗ ଦେଇ ଭାଷା ଭିତ୍ତିରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ନେଇ ଦାବି ରଖିଥିଲେ। ତାଙ୍କର ବଳିଷ୍ଠ ଉପସ୍ଥାପନ ଆଗରେ ହାର ମାନି ଉତ୍କଳ ପ୍ରଦେଶ ଗଠନ ପାଇଁ ବାଧ୍ୟ ହୋଇଥିଲେ ଇଂରେଜ ସରକାର। ଦେଶ ସ୍ବାଧୀନ ପୂର୍ବରୁ ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଗଠନ ହୋଇପାରିଥିଲା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ । ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ଅବଦାନ ଅବିସ୍ମରଣୀୟ। ଦେଖିବା ଏସମ୍ପର୍କରେ ସ୍ବତନ୍ତ୍ର ଉପସ୍ଥାପନା।
୧୯୦୩ ମସିହାରେ ଭାଷା ଭିତ୍ତିରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସଙ୍ଘର୍ଷ ଆରମ୍ଭ ହୋଇ ୧୯୩୬ ମସିହାରେ ସମାପ୍ତ ହୋଇଥିଲା ତାହା ନୁହେଁ। ଏ ସଂଘର୍ଷ ଦୀର୍ଘ ୬୬ ବର୍ଷର ଥିଲା । ଆଉ ଏହାର ମୂଳ ଦୁଆ ପକାଇଥିଲେ ୧୮୭୦ ମସିହାରେ ତତ୍କାଳୀନ କାଟିଙ୍ଗା ବା ବର୍ତ୍ତମାନର କନ୍ଧମାଳର ମହାରାଜା ଭେଙ୍କଟେସ ଦେଓ, ମାନ୍ଦ୍ରାଜ ପ୍ରଦେଶରେ ଥିବା ସମସ୍ତ ଓଡିଆ ମାନଙ୍କୁ ଏକତ୍ରିତ କରିବା ପାଇଁ ସେ ଉଦ୍ୟମ ଆରମ୍ଭ କରିଥିଲେ , ପରବର୍ତ୍ତୀ ସମୟରେ ୧୯୧୪ ମସିହାରେ ପାରଳାଖେମୁଣ୍ଡି ଠାରେ ଉତ୍କଳ ସମ୍ମିଳନୀର ଦଶମ ଅଧିବେଶନ ତିନି ଦିନ ଧରି ଆୟୋଜନ ହୋଇଥିଲା ସେଠାରେ ଏହି ଆନ୍ଦୋଳନର ମୁଖ୍ୟ ପୁରୋଧା ମାନେ ଯୋଗ ଦେଇଥିଲେ । ଉତ୍କଳ ଗୈାରବ ମଧୁସୂଦନ ଦାସ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କୁ ଏହାର ନେତୃତ୍ୱ ନେବାପାଇଁ ଆହ୍ବାନ ଦେଇଥିଲେ। ସେହିଦିନ ଠାରୁ ବହୁ ଘାତ ପ୍ରତିଘାତ ସତ୍ତ୍ୱେ ଦାୟିତ୍ୱରେ ଅଟଳ ରହି ପଛକୁ ଫେରି ଚାହିଁ ନଥିଲେ, ରାଜ୍ୟ କାର୍ଯ୍ୟ ବନ୍ଦ କରି ବାରମ୍ବାର ବିଲାତ ଗସ୍ତ କରୁଥିଲେ ମହାରାଜା । ୧୯୩୦ ରେ ଇଂଲଣ୍ଡର ପ୍ରଥମ ଗୋଲ ଟେବୁଲ ବୈଠକରେ ଓଡିଆ ମାନଙ୍କର ପ୍ରତିନିଧି ଭାବେ ଯୋଗଦେଇ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି। ଦ୍ଵିତୀୟ ବାର ପ୍ରଦେଶ ଗଠନ ପାଇଁ ଲଣ୍ଡନ ଗସ୍ତ କରି ଗୋଲ ଟେବୁଲ ବୈଠକରେ ଦାବି ଉପସ୍ଥାପନ କରିବା ପରେ, ତିନି ଜଣିଆ ପ୍ଲାନେରୀ କମିଟିକୁ ଓଡ଼ିଶା ସୀମା ନିର୍ଦ୍ଧାରଣ ପାଇଁ ନିଯୁକ୍ତି ହୋଇଥିଲା I ଶେଷରେ ଭାରତ ସ୍ବାଧିନ ହେବା ୧୧, ବର୍ଷ ପୂର୍ବରୁ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇଥିଲା, ସେଥିର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି।
ଖଣ୍ଡ ବିଖଣ୍ଡିତ ହୋଇ ବିଭିନ୍ନ ପ୍ରେସିଡେନ୍ସି ଅଧିନରେ ଥିଲା ଉତ୍କଳ ପ୍ରଦେଶ, ଛିନ୍ନ ଭିନ୍ନ ହୋଇ ରହିଥିଲେ ଓଡ଼ିଆ ଜାତି। ନିଜ ଜାତି, ଭାଷାକୁ ଉଦ୍ଧାର କରିବା ପାଇଁ ଦୀର୍ଘ ୨୦ ବର୍ଷ ବହୁ ପରିଶ୍ରମ କରି ଇଂରେଜ ସରକାରଙ୍କୁ ବେଶ ପ୍ରଭାବିତ କରିଥିଲେ। ଶେଷରେ ତାଙ୍କ ପ୍ରଭାବରେ ହାର ମାନି ଥିଲା। ଗଠନ ହୋଇପାରିଥିଲା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ। ଏଥି ସହ ଓଡ଼ିଶାର ବିକାଶ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ , କୃଷି ବିକାଶ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରି, ବର୍ତ୍ତମାନ ପିଢ଼ିର ଦିଗଦର୍ଶକ ହୋଇଛନ୍ତି କିନ୍ତୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କୁ ଯେଉଁ ସ୍ଥାନରେ ରଖିବା ଉଚିତ ଥିଲା ତାହା ଦେଖିବାକୁ ମିଳୁନାହିଁ। ତାଙ୍କ ଅବଦାନ ଓଡିଆ ଜାତି ଓ ଭାଷା ପାଇଁ ପ୍ରେରଣାଦାୟୀ ହୋଇଥିବା ସତ୍ତ୍ଵେ ଆଜି ଯାଏଁ କୈାଣସି ପାଠ୍ୟପୁସ୍ତକରେ ତାଙ୍କ ବିଷୟରେ ସ୍ଥାନ ଦିଆଯାଇ ନାହଁ। ଅଞ୍ଚଳବାସୀଙ୍କ ଦାବି ପ୍ରକାରେ ତାଙ୍କ ନାମରେ ସରକାରୀ ଯୋଜନା ନାମକରଣ ମଧ୍ୟ କରାଯାଇନାହିଁ। ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ।
୧୯୬୦ରେ ନନ୍ଦିନୀ ଶତପଥୀ ଓଡ଼ିଶାର ମୂଖ୍ୟମନ୍ତ୍ରୀ ଥିବା ସମୟରେ ଏହି ସଂଗ୍ରାମକୁ ଉଜ୍ଜୀବିତ କରି ରଖିବା ପାଇଁଁ ଏହି ଦିବସକୁ ଉତ୍କଳ ଦିବସ ଭାବେ ସମଗ୍ର ରାଜ୍ୟରେ ସରକାରୀ ଓ ବେସରକାରୀ ସ୍ତରରେ ପାଳନ କରିବା ଆରମ୍ଭ ହୋଇଥିଲା। ଏହି ସ୍ମୃତି କୁ ମନେପକାଈ ଗଜପତିର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଡମ୍ବର ସହକାରେ ପାଳନ ହେଉଛି ଏହି ଉକ୍ତଳ ଦିବସ।