ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ପରମ୍ପରା ଉପରେ ଆଧାରିତ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ଆଜି ବି ଏହାର ଗୁରୁତ୍ଵ ବଜାଇ ରଖିଛି। ଯାତ୍ରା ସମୟରେ ପ୍ରଥମେ ଆମନ୍ତ୍ରଣ କରାଯାଉଥିବା ଧର୍ମଝଣ୍ଡା ଯାତ୍ରାର ପଞ୍ଚମ ଦିବସରେ ଲାଗିବାର ବିଧି ରହିଥାଏ । ଯାତ୍ରାର ନିୟମାନୁଯାୟୀ କମଳାବାରୀ ସାହିରୁ ଧର୍ମଝଣ୍ଡା କୁ ଅଣାଯାଇ ସ୍ଥାପନ କରାଯାଉଛି। କିଂବଦନ୍ତୀ ଅନୁଯାୟୀ ଠାକୁରାଣୀ ଯାତ୍ରା ବଂଶାନୁକ୍ରମେ ଚାଲିଆସିଛି। ମା’ଙ୍କ ସ୍ଵପ୍ନାଦେଶ ପରେ ଡେରା ସଂପ୍ରଦାୟର ଜଣେ ଭକ୍ତ ମା’ଙ୍କୁ ଆଣି ଯାତ୍ରା କରିବା ପୂର୍ବରୁ ସମସ୍ତ ଜାତିଭାଇଙ୍କୁ ଜଣାଇ ଆଲୋଚନା କରିଥିଲେ । ସେହି ସମୟରେ ବ୍ରହ୍ମପୁରକୁ ୧୮ଟି ମଣ୍ଡଳରେ ବିଭକ୍ତ କରାଯାଇ ୧୮ଜଣ ସେନାପତି ନିଯୁକ୍ତ ହୋଇ ଜାତିର ସମସ୍ତ ଉନ୍ନୟନ କାର୍ଯ୍ୟ ସଂପାଦନ କରୁଥିଲେ। କମଳବାରୀ ସାହିରେ ଜଣେ ପ୍ରମୁଖ ସେନାପତି ବାସ କରୁଥିଲେ । ଉକ୍ତ ସେନାପତିଙ୍କ ଦାୟିତ୍ଵ ଥିଲା ମା’ଙ୍କ ପ୍ରହରୀ ତଥା ଧର୍ମର ପ୍ରତୀକ ଧର୍ମଝଣ୍ଢାକୁ ନେଇ ଅସ୍ଥାୟୀମଣ୍ଡପରେ ସ୍ଥାପନ କରିବା । ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ଉକ୍ତ ସାହିରୁ ଧର୍ମଝଣ୍ଡା ଅଣାଯାଇ ସ୍ଥାପନ କରାଯାଉଛି। । ଉକ୍ତ ସେନାପତିଙ୍କ ବଂଶଧର ନଥିବା ଯୋଗୁଁ ପ୍ରଥା ଅନୁଯାୟୀ ସାହି ପକ୍ଷରୁ ଧର୍ମଝଣ୍ଡା କାର୍ଯ୍ୟ ପ୍ରସ୍ତୁତ କରାଯାଉଛି। ଧର୍ମଝଣ୍ଡା ସ୍ଥାପନ କରିବା ପଛର ବି ରହିଛି କାରଣ,ପୁରୀ ଶ୍ରୀକ୍ଷେତ୍ର ଧାମରେ ଯେଭଳି ମହାପ୍ରଭୁଙ୍କୁ ସମ୍ମୁଖରେ ରହିଥିବା ଅରୁଣ ସ୍ତମ୍ଭ ନିକଟରେ ରହି ପ୍ରଭୁଙ୍କୁ ଭକ୍ତ ଦର୍ଶନ କରନ୍ତି, ସେହିଭଳି ଧର୍ମଝଣ୍ଡା ନିକଟରେ ରହି ମାଁ’ଙ୍କ ଦର୍ଶନ କରିବାର ବିଧି ରହିଛି। ଝଣ୍ଡା ରେ ଲାଗିଥିବା ଦୁଇଟି ଲାଲ ଓ କଳାରଂଗର ପତାକା ଧର୍ମର ପତାକା ବୋଲି ଅଭିହିତ କରାଯାଇଛି। ଧର୍ମଝଣ୍ଡା ସ୍ଥାପନ ହେବା ପରେ ଭକ୍ତଙ୍କ ପକ୍ଷରୁ ମା’ଙ୍କ ଶୁଙ୍ଖୁଡ଼ି ଭୋଗ ଆରମ୍ଭ ହୋଇଥାଏ | ଅସ୍ଥାୟୀମଣ୍ଡପରେ ମା’ଙ୍କ ଭୋଗ ବେଳେ ଧର୍ମଝଣ୍ଡା ନାମରେ ରାଜଭୋଗ କରାଯାଇଥାଏ । ଅନ୍ୟପକ୍ଷରେ ଧର୍ମଝଣ୍ଡା ହେଉଛି ମା’ଙ୍କ ଭଣ୍ତାର ଗୃହ ବା ଶୀତଳାଦେବୀ। ମା’ଙ୍କ ନିଜସ୍ବ ମନ୍ଦିରରେ ଯେପରି ମା’ ଶୀତଳାଦେବୀ ରହି ମା’ଙ୍କ ଭଣ୍ଡାରଗୃହ ଭାବେ ପୂଜା ପାଉଛନ୍ତି ସେଭଳି ଅସ୍ଥାୟୀମଣ୍ଡପରେ ବି ପୂଜା ପାଉଛନ୍ତି । ସୋମବାର ଧର୍ମଝଣ୍ଡା ସ୍ଥାପନ ପରେ ମହିଳା ଶ୍ରଦ୍ଧାଳୁ ମାନେ ଧର୍ମଝଣ୍ଡା କୁ ହଳଦୀ ପାଣି ଅର୍ପଣ କରିବା ସହିତ ପୂଜାର୍ଚ୍ଚନା କରିଥିଲେ।